Latest Odisha News

ବସନ୍ତ ପଞ୍ଚମୀରେ ବାଗଦେବୀଙ୍କୁ କରନ୍ତୁ ପ୍ରସନ୍ନ, ଘରେ ପ୍ରସ୍ତୁତ କରନ୍ତୁ ମା’ଙ୍କ ଏହି ପ୍ରସାଦ

ଭୁବନେଶ୍ଵର: ଆଗକୁ ଆସୁଛି ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା । ଏହି ଦିନ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନପସନ୍ଦର ପ୍ରସାଦ ଭୋଗ ରୂପରେ ମା’ଙ୍କ ପାଖରେ ଲଗାଯାଏ । ପୂଜାରେ ଭଗବାନଙ୍କୁ ଦିଆଯାଇଥିବା ପ୍ରସାଦର ବିଶେଷ ମହତ୍ତ୍ଵ ରହିଥାଏ । ସନାତନ ଧର୍ମରେ, ସମସ୍ତ ଦେବତା ଏବଂ ଦେବୀଙ୍କ ପସନ୍ଦ ଅନୁଯାୟୀ ଖାଦ୍ୟ ପ୍ରଦାନ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ତେଣୁ ବସନ୍ତ ପଞ୍ଚମୀ ଦିନ ଘରେ ବନାନ୍ତୁ ବେସନରେ ପ୍ରସ୍ତୁତ ମା’ଙ୍କ ଏହି ପ୍ରିୟ ପ୍ରସାଦ ‘ବେସନ ହାଲୱା’ । ସାଧାରଣତଃ ବେସନରେ ଆପଣ ପକୁଡି, ଢ଼ୋକଳା ଆଦି ପ୍ରସ୍ତୁତି କରି ଖାଆନ୍ତି । କିନ୍ତୁ ‘ବେସନ ହାଲୱା’ ବିଷୟରେ ହୁଏତ ଆପଣ ଶୁଣିନଥିବେ କି ଚାଖି ନଥିବେ । ବେସନ ପ୍ରସ୍ତୁତ ହାଲୱା ହେଉଛି ଏକ ପାରମ୍ପରିକ ତଥା ସମୃଦ୍ଧ ଖାଇବା । ଏହାକୁ ଆପଣ ଜଳଖିଆ ବା ମିଠା ଦ୍ରବ୍ୟ ହିସାବରେ ବି ଖାଇପାରିବେ । ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଏବଂ ପ୍ରସ୍ତୁତି ପ୍ରଣାଳି ଜାଣି ରଖନ୍ତୁ:

ଆବଶ୍ୟକ ସାମଗ୍ରୀ:

  • ବେସନ – ୧୦୦ ଗ୍ରାମ
  • ଘିଅ – ୧୦୦ ଗ୍ରାମ
  • ଚିନି – ୧୦୦ ଗ୍ରାମ
  • କ୍ଷୀର – ୫୦୦ ଗ୍ରାମ
  • ବାଦାମ – ୧୦ ରୁ ୧୨ ଖଣ୍ଡ
  • କାଜୁ – ୧୦ ରୁ ୧୨ ଖଣ୍ଡ
  • ପିସ୍ତା – ୧୦ ରୁ ୧୨ ଖଣ୍ଡ
  • ଗୁଜୁରାତି ଗୁଣ୍ଡ – ଅଳ୍ପ
  • ଲୁଣ – ସ୍ଵାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଏବେ ଏଥିରେ ବେସନ ପକାଇ ଭଲ ଭାବେ ଭାଜନ୍ତୁ। ବେସନର ରଙ୍ଗ ପରିବର୍ତ୍ତନ ହେବା ପରେ ସେଥିରେ ଚିନି ପକାଇ ଗୋଳାନ୍ତୁ। ଏବେ ଗ୍ୟାସକୁ ଧିମା ଆଞ୍ଚ କରି କ୍ଷୀର ପକାନ୍ତୁ। ଏବେ ସେଥିରେ ଗୁଜୁରାତି ଗୁଣ୍ଡ, ସ୍ଵାଦ ଅନୁସାରେ ଲୁଣ ପକାଇ ଗୋଲାନ୍ତୁ । ହାଲୱା ଗାଢା ହେବା ପର୍ଯ୍ୟନ୍ତ ଧିମା ଆଞ୍ଚରେ ରାନ୍ଧନ୍ତୁ । ହାଲୱାରୁ ଧିରେ ଧିରେ ସବୁ କ୍ଷୀର ଶୁଖିଗଲେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବେ ଏଥିରେ ୧ ଚାମଚ ଘିଅ ପକାନ୍ତୁ। ଏହା ଉପରେ କାଜୁ, ବାଦାମ, ପିସ୍ତା, କିସମିସ୍ ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ଵାଦିଷ୍ଟ ବେସନ ହାଲୱା। ଏହା ମା’ ସରସ୍ଵତୀଙ୍କ ପ୍ରିୟ ଭୋଗ । ତେଣୁ ଏହାକୁ ସରସ୍ଵତୀ ପୂଜାରେ ପ୍ରସ୍ତୁତ କରି ମା’ଙ୍କ ପାଖରେ ଭୋଗ ଲଗାଇପାରିବେ ।

Comments are closed.