Latest Odisha News

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ; କିପରି ପାଳିତ ହୁଏ ଜାଣନ୍ତୁ…

ପୁରୀ: ଶ୍ରୀମନ୍ଦିରରେ ବସନ୍ତ ପଚଂମୀର ଗୁରୁତ୍ୱ ଅଧିକ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ପଂଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍କୃତି ସ୍ୱରୂପ ବସନ୍ତ ପଚଂମୀ ପାଳିତ ହୋଇଥାଏ । ମାଘ ଶୁକ୍ଲ ପଚଂମୀରେ ଶ୍ରୀଜୀଊମାନଙ୍କର ଘୋଡବସ୍ତ୍ର କଢ଼ାଯାଇ ଜାମାଲାଗି ବସ୍ତ୍ର ପିନ୍ଧାଯାଏ । ଉକ୍ତ ତିଥିରେ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ତିନିବାଡର ତିନିରଥମାନଙ୍କର ପାରମ୍ପାରିକ ପୂଜାର୍ଚ୍ଚନା କରାଯାଏ ।

ପୂର୍ବରୁ ରଥକାଠ ବନବିଭାଗ ପକ୍ଷରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ରହିଥାଏ । ସେହି ତିନିଗୋଟି କାଠଗଣ୍ଡିରେ ତିନିରଥର କୋଣଗୁଜ ନିର୍ମାଣ କରାଯାଇ ନୃସିଂହଙ୍କ ମୂର୍ତି ଖୋଦେଇ କରାଯାଏ । ଶ୍ରୀଜୀଊ ମାଘ ଶୁକ୍ଲପଚଂମୀ ତିଥିରୁ ନିଜର ଶୀତବସ୍ତ୍ର ପରିହାର କରି ଗୌରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । ଭୋଗବିଳାସର ଋତୁ ବସନ୍ତର ଆଗମନରେ ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗ କରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ୱାନ ଦେଇଥାନ୍ତି । ତେଣୁ ସେ ନିଜେ ହେଙ୍ଗୁ ଓ ହରଡ ଗୁଣ୍ଡରେ ପ୍ରସ୍ତୁତ ବସନ୍ତ ପିଷ୍ଟକ ଗ୍ରହଣ କରିଥାନ୍ତି ।

ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ପାଳନ ସହ ଏହି ତିଥିରୁ ବେଂଟଯାତ୍ରା ଆରମ୍ଭ ହୋଇ ଦୋଳ ଯାଁଏ ଚାଲିଥାଏ । ବେଂଟଯାତ୍ରା ଠାକୁରଙ୍କର ଶିକାର ଯାତ୍ରା । ବୈଷ୍ଣବଙ୍କ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହା ବନଗମନ ସମୟ । ପ୍ରମୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଭାବେ ଶ୍ରୀରାମଚନ୍ଦ୍ରଙ୍କର ବିଗ୍ରହ ବେଂଟପୋଖରୀ ପାଖକୁ ଶିକାରରେ ଯାଆନ୍ତି । ବେଂଟ ପୋଖରୀରେ ମୃଗ ଭାଗେ ନଡିଆ ଏବଂ କସ୍ତୁରୀପୁଡିଆ ରଖାଯାଏ । ଠାକୁର ତାଙ୍କୁ ବାଣ ସଂଯୋଗ କରନ୍ତି ।

ଏହି ଦିନ ଶ୍ରୀଜୀଊମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳା ପାଞ୍ଜି ପୂଜା କରାଯାଏ ।

ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା : ବସନ୍ତ ପଚଂମୀ ଦିନ ଶ୍ରୀମନ୍ଦିରରେ ଦେବୀ ସରସ୍ୱତୀଙ୍କୁ ପୂଜା କରାଯାଏ । ନାଟମଣ୍ଡପ ନିକଟରେ ଥିବା ଭୁବନେଶ୍ୱରୀ ମନ୍ଦିରରେ ଦେବୀ ସରସ୍ୱତୀଙ୍କ ଆସ୍ଥାନ ରହିଛି । ଏଠାରେ ଥିବା ଠାକୁରାଣୀ ମୂର୍ତିଙ୍କ ଉଚ୍ଚତା ୧ଫୁଟ । ନୃସିଂହଙ୍କ ଏକ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତି ଠାକୁରାଣୀଙ୍କ ଡାହାଣ ଦିଗରେ ଅବସ୍ଥାପିତ ।

ବସନ୍ତ ପଚଂମୀ ଦିନ ସ୍ୱତନ୍ତ୍ର ଭାବେ ନିର୍ମିତ ବସନ୍ତ କାକରା ପିଠା ଭୋଗ କରାଯାଏ । ସନ୍ଧ୍ୟାବେଳେ ୨୨ ଶ୍ରୀଫଳ ସରସ୍ୱତୀଙ୍କ ପାଖରେ ଚଢ଼ାଯାଏ । ଏଠାରେ ସରସ୍ୱତୀଙ୍କ ନିକଟରେ ମାଦଳ ପାଞ୍ଜି ପୂଜା କରାଯାଏ ।

Leave A Reply

Your email address will not be published.