କଲୋମ୍ବୋ: ଶ୍ରୀଲଙ୍କାରେ ଅସ୍ଥିରତା ଭିତରେ ଦେଶ ଛାଡି ଦୁବାଇ ଯିବାକୁ ଯୋଜନା କରିଥିଲେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ସାନ ଭାଇ ତଥା ନିକଟରେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବାସିଲ ରାଜପାକ୍ଷେ। ଗତକାଲି ସଂଧ୍ୟାରେ କଲୋମ୍ବୋ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାସିଲ ଦୁବାଇ ଯିବାକୁ ଯୋଜନା କରିଥିଲେ। କିନ୍ତୁ ବିମାନ ବନ୍ଦର କର୍ମଚାରୀ ସହଯୋଗ ନକରିବାରୁ ସେ ଦୁବାଇ ଯିବାରେ ବିଫଳ ହୋଇଛନ୍ତି। ବାସିଲ ଆମେରିକା ଏବଂ ଶ୍ରୀଲଙ୍କାର ନାଗରିକତ୍ୱ ପରିଚୟ ପତ୍ର ରଖିଛନ୍ତି। ତେଣୁ ଦୁବାଇ ଯାଇ ଆମେରିକା ଯିବାକୁ ବାସିଲ ଯୋଜନା କରିଥିଲେ ବୋଲି ସୂଚନା ରହିଛି।
ଦେଶରେ ଆର୍ଥିକ ସଙ୍କଟ ପରେ ଏବେ ଦେଶରେ ଦୀର୍ଘ ଦିନ ହେବ କ୍ଷମତାରେ ଥିବା ରାଜପାକ୍ଷେ ପରିବାର ବିରୋଧରେ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସ୍ଥିତି ଏମିତି ଯେ ରାଷ୍ଟ୍ରପତି ଭବନକୁ ଜନତା କବଜା କରିଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ କେଉଁଠି ଆତ୍ମଗୋପନ କରିଛନ୍ତି। ରାଜପାକ୍ଷେ ପରିବାର ଏବେ ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି।
କୌଣସି ରାଜନୈତିକ ନେତା ବିଶେଷ କରି ରାଜପାକ୍ଷେ ବଂଶର କୌଣସି ନେତା ଯେପରି ଦେଶ ଛାଡ଼ି ପଳାଇ ନ ଯାଆନ୍ତି ସେଥିପାଇଁ ବିକ୍ଷୋଭକାରୀମାନେ ଏବେ ଚେକ୍ ପୋଷ୍ଟ୍ ଲଗାଇଛନ୍ତି। ବାସିଲଙ୍କ ବଡ଼ ଭାଇ ମହିନ୍ଦା ଏବଂ ଗୋଟାବାୟା ଉଭୟଙ୍କୁ କଲମ୍ବୋରେ ସୁରକ୍ଷା ପ୍ରଦାନ କରାଯାଇଛି ଏବଂ ଆସନ୍ତାକାଲି ଗାଟାବାୟା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ।
ଜୁଲାଇ ୧୧ରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଶ୍ରୀଲଙ୍କା ପାର୍ଲାମେଣ୍ଟର ବାଚସ୍ପତି ମହିନ୍ଦା ୟାପା ନେତାମାନଙ୍କୁ କହିଥିଲେ ଯେ ସମ୍ବିଧାନ ଅନୁୟାୟୀ ଜୁଲାଇ ୨୦ରେ ପାର୍ଲାମେଣ୍ଟରେ ଭୋଟ୍ ମାଧ୍ୟମରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବ।
ଗୋଟାବାୟା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଥିବା ବେଳେ ଗତକାଲି ତାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଏକ ବିବୃତି ଜାରି କରି ସୂଚାଇ ଦେଇଛନ୍ତି ଯେ ସେ ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ପାଇଁ ନିଜର ଆକାଂକ୍ଷା ଛାଡ଼ି ନାହାନ୍ତି। ଯିଏକି ମହିନ୍ଦା ରାଜପାକ୍ଷେଙ୍କ ସମର୍ଥନରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ମହିନ୍ଦାଙ୍କ ପାଇଁ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏପରି ରହିଛି।
ନିଜ ବୟାନରେ ରାନିଲ ସମ୍ବିଧାନର ମୂଳ ମନ୍ତ୍ର କଥା କହି ସଂସଦ ଉପରେ କାହାକୁ ବାଧ୍ୟ କରିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି କହିଛନ୍ତି। ସର୍ବଦଳୀୟ ସରକାର ଗଠନ ଦିଗରେ ସେ କାମ କରିବେ ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୟାନ ସ୍ପଷ୍ଟ ସୂଚାଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜ ଦଳ ସହିତ ଗୋଟିଏ ଆସନ ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବାର ଅଭିଳାଷ ରଖିଛନ୍ତି।
Comments are closed.