Latest Odisha News

ପ୍ରଧାନମନ୍ତ୍ରୀଙ୍କ ପରେ ଗୃହମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଟ୍ୱିଟ୍ କରି ସେ ଭେଟିଥିବାର ଏକ ଫଟୋ ସେୟାର କରିଛନ୍ତି । ଏଥିସହ ଭେଟଘାଟ ବେଳେ ବିଭିନ୍ନ ପ୍ରସଙ୍ଗରେ ଅପରାଜିତା ଆଲୋଚନା କରିଥିବା କହିଛନ୍ତି। ଶାହଙ୍କୁ ପୂର୍ବରୁ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଥିଲେ। ସେହିପରି ଚଳିତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଅଶ୍ୱନୈ ବୈଷ୍ଣବଙ୍କୁ ମଧ୍ୟ ଭୁବନେଶ୍ୱର ସାଂସଦ ଭେଟିଥିଲେ।

ପଞ୍ଚାୟତ, ପୌର ଏବଂ ମହାନଗର ନିଗମ ନିର୍ବାଚନରେ ବିଜେପି ଶୌଚନୀୟ ପରାଜୟ ବରଣ କରିଛି। ଅପରାଜିତା ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ଧରାଶୟୀ ହୋଇଛନ୍ତି । ଫଳାଫଳ ପରେ କିନ୍ତୁ ପରାଜୟ ପାଇଁ ରାଜ୍ୟ ନେତୃତ୍ୱକୁ ସେ ଦାୟୀ କରିଥିଲେ। ଏହାପରେ ରାଜ୍ୟ ବିଜେପିର ପ୍ରମୁଖ ନେତା ଖାରବେଳ ସ୍ୱାଇଁ କହିଥିଲେ ସଫଳତା ହେଲେ ସାଂସଦ ଶ୍ରେୟ ନେବାକୁ ଆଗେଇ ଆସୁଛନ୍ତି କିନ୍ତୁ ପରାଜୟ ବେଳେ ରାଜ୍ୟ ନେତୃତ୍ୱକୁ ଦାୟୀ କରୁଛନ୍ତି । ଏଥିସହ ମହାନଗର ନିଗମରେ ମେୟର ନିର୍ବାଚନ ବେଳେ ଅପରାଜିତା ଦଳର ପ୍ରମୁଖ ନେତାଙ୍କ ସହିତ କୌଣସି ଆଲୋଚନା କରିନଥିଲେ ବୋଲି ଖାରବେଳ କହିଥିଲେ।

ଏହାପରେ ରାଜ୍ୟ ବିଜେପିର କିଛି ନେତା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇ ଦଳର ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଏହି ଭେଟଘାଟ ବେଳେ କିନ୍ତୁ ଅପରାଜିତା ଉପସ୍ଥିତ ନଥିଲେ। କାରଣ ରାଜ୍ୟ ବିଜେପିର ଏହି କାର୍ଯ୍ୟକାରିଣୀ କମିଟିରେ ସେ ନାହାନ୍ତି।

ଏହି ସମୟରେ ଅପରାଜିତା ମୋଦୀଙ୍କୁ ଭେଟିଥିଲେ ପରେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବିଜେପିରେ ମୋଦୀ-ଶାହଙ୍କ ବିନା ପତ୍ର ବି ହଲେନି । ତେଣୁ ଗୋଟିଏ ପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସାରାରାରେ ରାଜ୍ୟ ବିଜେପିର ପ୍ରମୁଖ ନେତା ଦଳକୁ ମଜବୁତ କରିବାକୁ ଆଗଉଥିବା ନେଇ ସୂଚନା ଦେଉଥିବା ବେଳେ ଅପରାଜିତା ମଧ୍ୟ ଦଳରେ ନିଜର ପ୍ରଭାବକୁ ବଢାଇବାକୁ ପ୍ରୟାସ କରୁଥିବା ପରୋକ୍ଷରେ ବାର୍ତ୍ତା ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ବିଜେପିର ସାଂସଦଙ୍କୁ ନିଜ ବାସଭବନକୁ ଡାକି ବୈଠକ କରିଥିଲେ। ଏହି ବୈଠକରେ ସେ ରାଜ୍ୟ ବିଜେପିର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବା ସହିତ ନିର୍ବାଚନରେ ପରାଜୟ ବରଣ କଥା ଉପରେ ମାନସ ମନ୍ଥନ କରିଥିଲେ।

Comments are closed.