Latest Odisha News

BREAKING NEWS

ଇମ୍ରାନ ଖାନଙ୍କ ୟର୍କରକୁ ନୋ ବୋଲ୍ ଦେଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ହୋଇପାରନ୍ତି କ୍ଲିନ୍ ବୋଲ୍ଡ

ଇସଲାମାବାଦ: ପଲଟିଗଲା ପାକିସ୍ତାନ ରାଜନୀତିର ସମୀକରଣ । ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନ ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସଂସଦରେ ଅନାସ୍ଥା ଭୋଟର ସାମ୍ନା ନକରି ରାଷ୍ଟ୍ରପତିଙ୍କ ସୁପାରିଶ କ୍ରମେ ସଂସଦକୁ ଭାଙ୍ଗିଦେଇଥିଲେ। ହେଲେ ଏପରି କୌଶଳ ବେଆଇନ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅର୍ଥାତ୍ ରାଜନୀତି ପୂର୍ବରୁ କ୍ରିକେଟ ପିଚରେ ଧୂଆଁଧାର ବୋଲିଂ କରୁଥିବା ଏବେର ଇମ୍ରାନ ଖାନଙ୍କ ପାଇଁ ଏହା ନୋ ବୋଲ୍। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦ ଭାଙ୍ଗି କ୍ରିକେଟ ପିଚରେ ଇମ୍ରାନ ୟର୍କର ବୋଲ ପକାଇଥିଲେ ବୋଲି କୁହାଯାଉଥିଲା।

ଗୁରୁବାର ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ ନ୍ୟାଶନାଲ ଆସେମ୍ବଲିର ଉପ ବାଚସ୍ପତି କାସୀମ ସୌରୀଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି କହିଛନ୍ତି। ସେହିପରି ନ୍ୟାଶନାଲ ଆସେମ୍ବଲି ବା ସଂସଦକୁ ଭାଙ୍ଗି ନୂଆ ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ମଧ୍ୟ ବେଆଇନ୍ କହିଛନ୍ତି। ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିବାବେଳେ ନ୍ୟାଶନାଲ ଆସେମ୍ବଲିକୁ ପୁନଃ ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏପ୍ରିଲ 9 ରେ ସଂସଦରେ ଅନାସ୍ଥା ଭୋଟ୍ ଭୋଟ୍ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଇମ୍ରାନ ଖାନ ଉପ ବାଚସ୍ପତିଙ୍କୁ ପରାମର୍ଶ ଦେଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ଏପରି ରାୟ ଆସିବା ପୂର୍ବରୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେ ତାହା ଗ୍ରହଣ କରିବେ। ଗୁରୁବାର ସଂଧ୍ୟାରେ କୋର୍ଟରେ ଏହି ପ୍ରସଙ୍ଗରେ ଚତୁର୍ଥ ଦିନ ପାଇଁ ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତି କହିଥିଲେ ଯେ, ଅନାସ୍ଥା ଭୋଟକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଉପ ବାଚସ୍ପତିଙ୍କ ନିଷ୍ପତ୍ତି ସମ୍ବିଧାନର ଧାରା 95 ବିରୁଦ୍ଧରେ ରହିଛି ।

ଉଲ୍ଲେଖଯୋଗ୍ୟ, ଇମ୍ରାନଙ୍କ ସମର୍ଥନରେ ଥିବା ସାଂସଦ ମାନେ ଏବେ ବିରୋଧୀ ଦଳ ମେଣ୍ଟରେ ସାମିଲ ହୋଇଛନ୍ତି । ଏହାପରେ ସଂସଦରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ଥିବା ମ୍ୟାଜିକ ନମ୍ବର ହରାଇଛନ୍ତି ଇମ୍ରାନ । ତେଣୁ ଅନାସ୍ଥା ପ୍ରସ୍ତାବ ଭୋଟିଂକୁ ବିଭିନ୍ନ ଆଳ ଦେଖାଇ ଟାଳି ଆସୁଥିଲେ। ଏବେ କିନ୍ତୁ ଇମ୍ରାନ ଅନାସ୍ଥା ଭୋଟର ସାମ୍ନା କରିବାକୁ ବାଧ୍ୟ । ହେଲେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ସାଂସଦଙ୍କ ସମର୍ଥନ ନଥିବାରୁ ହିଟ୍ ଓ୍ୱିକେଟେ ହେବାକୁ ଯାଉଛନ୍ତି । ପାକିସ୍ତାନରେ ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ବିରୋଧୀ ଇମ୍ରାନ ସରକାର ବିରୋଧରେ ଗୋଟି ଚଳାଇଥିଲେ। ଯେଉଁଥିରେ ସେ ଏବେ ସଫଳ ହେବାକୁ ଯାଉଛନ୍ତି।

Leave A Reply

Your email address will not be published.