ନୂଆଦିଲ୍ଲୀ: କ୍ରୀଡ଼ା ଜଗତରେ ବୟସ କମାଇ ଜାଲିଆତି କରିବା କୌଣସି ନୂଆ କଥା ନୁହେଁ । ଭାରତୀୟ କ୍ରିକେଟରେ ମଧ୍ୟ ପୂର୍ବରୁ ରସିଖ ସଲାମ୍, ପ୍ରିନ୍ସ ଯାଦବ, ମନଜୋତ କାଲରା ଏବଂ ନୀତିଶ ରାଣାଙ୍କ ଭଳି ଅନେକ ଖେଳାଳି ବୟସ ଜାଲିଆତି ମାମଲାରେ ଫସିଛନ୍ତି । ତେବେ ଏହି ଜାଲିଆତିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛି । ଖେଳାଳିମାନଙ୍କ ବୟସ ସମ୍ବନ୍ଧୀୟ କାଗଜପତ୍ରର ସତ୍ୟତା ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ଏଜେନ୍ସି ସହିତ ଚୁକ୍ତି କରିଛି । ଏହି ସ୍ୱତନ୍ତ୍ର ଏଜେନ୍ସି ଖେଳାଳିମାନଙ୍କ ଜନ୍ମ ତାରିଖକୁ ସଠିକ୍ ବୋଲି ଗ୍ରହଣ କରିବା ପୂର୍ବରୁ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ସଂସ୍ଥାଗୁଡ଼ିକ ସହ ସିଧାସଳଖ ଯୋଗାଯୋଗ କରିବ । ଜନ୍ମ ପ୍ରମାଣପତ୍ର , ବିଦ୍ୟାଳୟ ରେକର୍ଡ ଏବଂ ଅନ୍ୟାନ୍ୟ ପରିଚୟପତ୍ରଗୁଡ଼ିକର କଡ଼ା ଯାଞ୍ଚ କରାଯିବ । କାଗଜପତ୍ରର ସାଟିଫିକେସନ୍ ପାଇଁ ଏଜେନ୍ସି ଅନଲାଇନ୍ ଯାଞ୍ଚ ମଧ୍ୟ କରିବ ।
ଆଗାମୀ ସିଜନ୍ରେ ଖେଳାଳିମାନଙ୍କ ପାଇଁ ବାୟୋମେଟ୍ରିକ ସତ୍ୟାପନ ବାଧ୍ୟତାମୂଳକ କରାଯିବ । ଅନ୍ୟ ରାଜ୍ୟ କିମ୍ବା ଟିମ୍କୁ ବଦଳୁଥିବା ଖେଳାଳିମାନଙ୍କୁ ସେପ୍ଟେମ୍ବର ୧ ସୁଦ୍ଧା ଏହି ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଯଦି କୌଣସି ଖେଳାଳି ବୟସ ଜାଲିଆତି ମାମଲାରେ ଧରାପଡ଼ନ୍ତି, ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନେକ ସମୟରେ ଅଧିକ ବୟସର ଖେଳାଳିମାନେ ବୟସ କମାଇ ପ୍ରକୃତ ବୟସର ଯୋଗ୍ୟ ଓ ପ୍ରତିଭାବାନ ଖେଳାଳିଙ୍କ ଅଧିକାର ଛଡ଼ାଇ ନିଅନ୍ତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଏଥିନେଇ ପରାମର୍ଶ ଦେଇଥିଲେ । ତାଙ୍କ ସୁପାରିଶ ପରେ ହିଁ ଅଣ୍ଡର୧୯ ବିଶ୍ୱକପ୍ରେ ଜଣେ ଖେଳାଳିଙ୍କୁ ମାତ୍ର ଗୋଟିଏ ଥର ସୁଯୋଗ ମିଳିବା ନିୟମ ଲାଗୁ ହୋଇଥିଲା ।