Latest Odisha News

BREAKING NEWS

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ: ବିଜେପି ନେତାଙ୍କଠାରୁ ଧମକ ମିଳୁଥିବା ନେଇ ସିଜେପି ନେତା ଅଭିଜିତ ଦିପକେଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଲାଗି ରହିଥିବା ଯୁବ ଆନ୍ଦୋଳନ ଏବେ ଏକ ନୂଆ ମୋଡ଼ ନେଇଛି। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ‘କକରୋଚ୍ ଜନତା ପାର୍ଟି’ ବା ସିଜେପି (CJP) ର ପ୍ରତିଷ୍ଠାତା ଅଭିଜିତ ଦିପକେ ଏବେ କ୍ଷମତାସୀନ ବିଜେପି (BJP) ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଭିଜିତଙ୍କ କହିବା ଅନୁଯାୟୀ, ତାଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଦଳରେ ସାମିଲ ହେବା ପାଇଁ ଲୋଭନୀୟ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେବାରୁ ଏବେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଧମକଚମକ ଦିଆଯାଉଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଜିତ କହିଛନ୍ତି ଯେ, “ମୋତେ ବିଜେପିରୁ ଅନେକ ଅଫର୍ ଆସିଥିଲା, କିନ୍ତୁ ମୁଁ କେବେ ବିଜେପିକୁ ଯିବି ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲି। ମୁଁ ମନା କରିଦେବାରୁ ମୋତେ ଏବେ ବିଭିନ୍ନ ଆଡ଼ୁ ଧମକ ମିଳୁଛି। ଏପରିକି ମୋ ବାପାମାଆଙ୍କୁ ମଧ୍ୟ ଭୟଭୀତ କରାଯାଉଛି।” କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସହ ଛାତ୍ରଙ୍କ ହକ୍ ପାଇଁ ଲଢ଼ୁଥିବା ଅଭିଜିତ ଆହୁରି କହିଛନ୍ତି ଯେ, ସେ କୌଣସି ପରିସ୍ଥିତିରେ ବି ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ କିମ୍ବା ନିଜର ଆନ୍ଦୋଳନରୁ ଓହରିବେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ନିଟ୍ (NEET) ପରୀକ୍ଷା ବିବାଦ, ପେପର୍ ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ପ୍ରତିବାଦରେ ଅଭିଜିତ ଦିପକେଙ୍କ ନେତୃତ୍ୱରେ ହଜାର ହଜାର ଯୁବକ ଜନ୍ତରମନ୍ତରଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିଲେ। କିନ୍ତୁ ପୋଲିସ ପକ୍ଷରୁ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଅମାନୁଷିକ ଲାଠିଚାର୍ଜ କରାଯାଇଥିଲା, ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ପରେ ଅଭିଜିତଙ୍କ ମା’ ମଧ୍ୟ ନିଜର ଦୁଃଖ ପ୍ରକାଶ କରିବା ସହ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଉପସ୍ଥାପନ କରୁଥିବା ବେଳେ ସେମାନଙ୍କ ଉପରେ ଲାଠିମାଡ଼ କରିବା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହା ଦେଶର ଭବିଷ୍ୟତ ପ୍ରତି ଘୋର ଅନ୍ୟାୟ।

Leave A Reply

Your email address will not be published.