ମୁମ୍ବାଇ: ଭାରତୀୟ ଦଳର ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟେଷ୍ଟ ଏବଂ ଦିନିକିଆ ପାଇଁ ଦଳ ଘୋଷଣା ହୋଇସାରିଛି। ବୁଧବାର ରାତିରେ ଟି -୨୦ ଦଳ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣିଥରେ ଯୁବ ଦଳର ନେତୃତ୍ବ ଦିଆଯାଇଛି। ଏଥି ସହିତ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ-ଅଧିନାୟକ କରାଯାଇଛି। ଏହି ଦଳ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଦେଖିବାକୁ ମିଳିଛି।
ଅନେକ ଖେଳାଳି ପ୍ରତ୍ୟାବର୍ତ୍ତନ କରିଥିବାବେଳେ କେତେକ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବା ପରେ ମଧ୍ୟ ସୁଯୋଗ ପାଇନାହାଁନ୍ତି। ଏହା ବ୍ୟତୀତ ପୁଣି ଥରେ ବରିଷ୍ଠ ଖେଳାଳିମାନେ ଟି -୨୦ ଦଳରୁ ବାଦ ପଡିଛନ୍ତି। ଏହିପରି ଅନେକ ବଡ଼ ଦିଗ ବାହାରକୁ ଆସିଛି।
ଭାରତୀୟ ଦଳ ୩ ଅଗଷ୍ଟରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ପାଞ୍ଚଟି ଟି -୨୦ ମ୍ୟାଚ୍ ଖେଳୁଛି। ଯାହାର ତିନୋଟି ମ୍ୟାଚ୍ ୱେଷ୍ଟଇଣ୍ଡିଜରେ ଖେଳାଯିବ। ଶେଷ ଦୁଇଟି ମ୍ୟାଚ୍ ଆମେରିକାର ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବ। ଟି-୨୦ ବିଶ୍ୱକପ ୨୦୨୨ ପରଠାରୁ କେବଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ଟି -୨୦ ଦଳରେ ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଛି। ଏଥି ସହିତ ନିୟମିତ ଅଧିନାୟକ ରୋହିତ ଶର୍ମା ଆଇପିଏଲ ବ୍ୟତୀତ କୌଣସି ଟି -୨୦ ଖେଳି ନଥିଲେ। ବିରାଟ କୋହଲିଙ୍କ ସହ ସମାନ ଅବସ୍ଥା। ଟି -୨୦ ବିଶ୍ୱକପ ପରେ ଭୁବନେଶ୍ୱର କୁମାର ମଧ୍ୟ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି।
ଏହି ଟିମରେ ୟଶାସଭି ଜୟସୱାଲ ଏବଂ ତିଲକ ବର୍ମା ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି। ରୁତୁରାଜ ଗାୟକୱାଡ, ଜିତେଶ ଶର୍ମା ଏବଂ ରିଙ୍କୁ ସିଂଙ୍କୁ ସୁଯୋଗ ମିଳିନି। ରବି ବିଷ୍ଣୁ, ଆବେଶ ଖାନ ଏବଂ ସଞ୍ଜୁ ସାମସନ ଦଳକୁ ଫେରିଛନ୍ତି। ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଆବେଶ ଖାନ ଏବଂ ମୁକେଶ କୁମାରଙ୍କୁ ପେସ ବୋଲିଂ ଦାୟିତ୍ବ। ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମିଙ୍କ ପରି ବୟସ୍କଙ୍କ ପାଇଁ ବିଶ୍ରାମ ଦିଆଯାଇଛି।
Comments are closed.