Latest Odisha News

BREAKING NEWS

ମନ ଜିଣୁଛି ଏକାମ୍ର ୱାକ୍ସର ଦୁଇ ସ୍ୱତନ୍ତ୍ର ଟ୍ରେଲ୍

ଭୁବନେଶ୍ୱର: ସହରର ବିକାଶ, ଇତିହାସ, ସ୍ଥାପତ୍ୟ ଓ ସାଂସ୍କୃତିକ ପରମ୍ପରା ବିଷୟରେ ବହୁ ନିକଟରୁ ଜାଣିବା ପାଇଁ ଏକାମ୍ର ୱାକ୍ସର ଦୁଇ ସ୍ୱତନ୍ତ୍ର ଟ୍ରେଲ୍ ଲୋକଙ୍କୁ ଆକର୍ଷିତ କରୁଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ହେରିଟେଜ୍ ସେଲ୍ ଦ୍ୱାରା ପରିଚାଳିତ ଏହି ଟ୍ରେଲ୍ ମାଧ୍ୟମରେ ଯୋଗ ଦେଇ ଅଂଶଗ୍ରହଣକାରୀମାନେ ରାଜଧାନୀର ବିକାଶଧାରା ଓ ପାରମ୍ପରିକ ରୀତିନୀତିର ମଧୁର ସମନ୍ୱୟକୁ ମନଭରି ଉପଭୋଗ କରିବାର ଏକ ନିଆରା ସୁଯୋଗ ପାଉଛନ୍ତି।

ଭୁବନେଶ୍ୱରର ଗଠନ ଓ ଏକ ସୁପରିକଳ୍ପିତ ସହର (The Making of Bhubaneswar & the Planned City) ଟ୍ରେଲ୍

ଏହି ଟ୍ରେଲ୍ ନଭେମ୍ବର ୭ ଓ ୨୧, ଡିସେମ୍ବର ୫ ଓ ୧୯, ଜାନୁଆରୀ ୨, ୧୬ ଓ ୩୦ ଏବଂ ଫେବୃଆରୀ ୧୩ ଓ ୨୭ ନିର୍ଦ୍ଧାରିତ ଦିନମାନଙ୍କରେ ଅନୁଷ୍ଠିତ ହେଉଛି। ଏଥିରେ ପ୍ରତ୍ୟେକ ଦିନ ସକାଳ ୧୧:୩୦ ରୁ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ଟ୍ରେଲ୍ ଚାଲିବ। ଏହା ଏକାମ୍ର ହାଟ୍ (ୟୁନିଟ୍-୩, ମଧୁସୂଦନ ମାର୍ଗ)ରୁ ଆରମ୍ଭ ହେଉଛି। ଅଂଶଗ୍ରହଣକାରୀମାନେ ଭୁବନେଶ୍ୱର ସହର କେମିତି ଯୋଜନା ଅନୁଯାୟୀ ବିକାଶ ହୋଇଛି ଏବଂ ଏହା ପଛରେ କେଉଁ ଚିନ୍ତାଧାରା କାର୍ଯ୍ୟ କରିଛି, ସେ ବିଷୟରେ ବିସ୍ତୃତ ଭାବରେ ଜାଣିବାର ସୁଯୋଗ ପାଇବେ। ଏହା ରାଜଧାନୀର ଇତିହାସ ଓ ବିକାଶକୁ ବୁଝିବାର ଏକ ଉପଯୁକ୍ତ ସୁଯୋଗ ହେବ।

ରାତ୍ରିକାଳୀନ ଭୁବନେଶ୍ୱର (Bhubaneswar by Night) ଟ୍ରେଲ୍

ଅନ୍ୟପକ୍ଷରେ ‘ରାତ୍ରିକାଳୀନ ଭୁବନେଶ୍ୱର’ ଟ୍ରେଲ୍ ନଭେମ୍ବର ୧୪ ଓ ୨୮, ଡିସେମ୍ବର ୧୨ ଓ ୨୪, ଜାନୁଆରୀ ୯ ଓ ୨୩ ଏବଂ ଫେବୃଆରୀ ୨ ଓ ୨୦ ତାରିଖରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ପର୍ଶୁରାମେଶ୍ୱର ମନ୍ଦିରରେ ସନ୍ଧ୍ୟା ପୂଜାରୁ କାର୍ଯ୍ୟକ୍ରମର ଆରମ୍ଭ ହେଉଛି। ଏହି ପ୍ରାଚୀନ ମନ୍ଦିରରେ ପୂଜା ପରେ ଦର୍ଶକ ଓ ଅଂଶଗ୍ରହଣକାରୀମାନେ ପୁରୁଣା ସହର ମଧ୍ୟରେ ଗସ୍ତ କରିବେ। ଏହି ଗସ୍ତ ସମୟରେ ଆଲୋକିତ ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟ ଦେଖିବା ସହ ଭୁବନେଶ୍ୱରର ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟ ବିଷୟରେ ଅଧିକ ଜାଣିବାର ସୁଯୋଗ ମିଳିବ। ଏହାପରେ ବିନ୍ଦୁସାଗର ପାର୍ଶ୍ୱରେ ଆଲୋକ ଓ ଧ୍ୱନି କାର୍ଯ୍ୟକ୍ରମର ଏକ ସୁନ୍ଦର ଝଲକ ଲୋକମାନେ ଉପଭୋଗ କରିପାରିବେ। ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଓ ବୈଠକ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟର ସମୃଦ୍ଧ କବିତା ଓ ସଙ୍ଗୀତ ପରମ୍ପରାକୁ ଉପଭୋଗ କରିବାର ସୁଯୋଗ ମିଳିବ। ଅଂଶଗ୍ରହଣକାରୀମାନେ ଓଡ଼ିଆ ଭାଷାର କବିତା ଶୁଣିବା ସହ ପାରମ୍ପରିକ ସଙ୍ଗୀତର ଆନନ୍ଦ ନେଇପାରିବେ।

ଜିଲ୍ଲା ସିଗ୍ନେଚର ଫୁଡ୍ ଟ୍ରେଲ୍
ଏହା ବ୍ୟତୀତ, ଆସନ୍ତା ୨୧ ତାରିଖରୁ ସକାଳ ୧୧:୩୦ ରୁ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ କଳାଭୂମିରେ ଜିଲ୍ଲା ଭିତ୍ତିକ ସିଗ୍ନେଚର ଫୁଡ୍ ଟ୍ରେଲ୍ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରୟାସରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସୁସ୍ୱାଦୁ ଖାଦ୍ୟ ପ୍ରଦର୍ଶିତ ହେବ ଏବଂ ସେମାନଙ୍କ ପ୍ରସ୍ତୁତିର ଲାଇଭ୍ ପ୍ରଦର୍ଶନ ମଧ୍ୟ କରାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ବର୍ଷ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅଫିସିଆଲ୍ ୱେବସାଇଟ୍ www.ekamra-walks.com କୁ ପରିଦର୍ଶନ କରି ଆଗ୍ରହୀ ଅଂଶଗ୍ରହଣକାରୀମାନେ ନିଜ ନାମ ପଞ୍ଜିକରଣ କରିପାରିବେ।

Leave A Reply

Your email address will not be published.