Latest Odisha News

ଥାନା ପରେ ସ୍କୁଲକୁ ଯାଇଛି ଭାଲୁ, ଭୟଭୀତ ଲୋକେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆତଙ୍କ। କେତେବେଳେ ସ୍କୁଲରେ ପଶିଯାଇଛି ତ ଆଉ କେତେବେଳେ ଥାନା ପରିସରରେ ପଶୁଛି। ଭାଲୁକୁ ନେଇ ଏବେ ପୁରା ଜିଲ୍ଲାରେ ହଇଚଇ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ପରିସର ଏବଂ ନନ୍ଦାହାଣ୍ଡି ବ୍ଲକ ଦହଣା ସ୍ଥିତ ସରକାରୀ ପ୍ରାଥମିକ ସ୍କୁଲ ଭିତରେ ଭାଲୁକୁ ନେଇ ଖେଳିଯାଇଥିଲା ଆତଙ୍କ ।

ସୂଚନା ଅନୁସାରେ, ଆଜି ସକାଳେ ସ୍କୁଲ ଚାଲିଥିବା ବେଳେ ନନ୍ଦାହାଣ୍ଡି ବ୍ଲକ ଦହଣା ସରକାରୀ ପ୍ରାଥମିକ ସ୍କୁଲ ପରିସରକୁ ଏକ ଭାଲୁ ପଶିଆସିଥିଲା। ସ୍କୁଲ ଖୋଲିବାର କିଛି ସମୟ ପରେ ସ୍କୁଲ ପରିସରକୁ ପଶି ଆସିଥିଲା ଏହି ଭାଲୁଟି। ଭାଲୁକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ଥିବା ବେଳେ ଅଧାରୁ ସ୍କୁଲ ବନ୍ଦ କରାଯାଇଥିଲା। ଏନେଇ ଖବର ଦେଲା ପରେ ଘଟଣାସ୍ଥଳରେ ଭାଲୁକୁ ଘଉଡ଼ାଇବାକୁ ପହଞ୍ଚିଛି ବନବିଭାଗ।

ସେପଟେ, ପାପଡାହାଣ୍ଡି ଥାନା ପରିସରରେ ଭାଲୁକୁ ଦେଖି ଛାନିଆ ପୋଲିସ। ଗତକାଲି ରାତି ପ୍ରାୟ ୧୦.୩୦ ବେଳକୁ ଥାନା ପରିସର ଭିତରକୁ ପଶିଥିଲା ଭାଲୁ । ଖାଦ୍ୟ ଅନ୍ବେଷଣ ରେ ଥାନା ପରିସରକୁ ପଶି ଝରି ପୋକ ମାରି ଖାଉଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଏକ ଭାଲୁ ପାପଡାହାଣ୍ଡି ଅଞ୍ଚଳରେ ଖାଦ୍ୟ ଅନ୍ବେଷଣ କରିବାକୁ ଯାଇ ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଥିବା ଦେଖି ଲୋକେ ଆତଙ୍କିତ ହୋଇଛନ୍ତି ।

Comments are closed.