Latest Odisha News

ଓଡ଼ିଶାର ଏହିସବୁ ବେଳାଭୂମିରେ ଖରାଦିନର ମଜ୍ଜା ନିଅନ୍ତୁ…

ଭୁବନେଶ୍ୱର: ବ୍ୟସ୍ତ ବହୁଳ ଜୀବନରୁ ଟିକେ ବ୍ରେକ୍ । ଆଉ ବୁଲିବା ପାଇଁ ହିଲ୍ ଷ୍ଟେସନ କିମ୍ବା ସମୁଦ୍ର କୂଳ । ପ୍ରାକୃତିକ ଶୋଭାରାଜିରେ ଭରପୁର ଓଡିଶା । ଯେତିକି ପୁରୁଣା ଏହାର ଐତିହ ଓ ସଂସ୍କୃତି ସେତିକି ସୁନ୍ଦର ଏହାର ପରିବେଶ । ଯଦି ଆପଣ ପ୍ରକୃତିକୁ ଭଲ ପାଆନ୍ତି ତେବେ ଓଡିଶା ହିଁ ଆପଣଙ୍କ ପାଇଁ ପରଫେକ୍ଟ ଡେଷ୍ଟିନେସନ । ତେବେ ଛୁଟିପ୍ଲାନ କରିବା ଆଗରୁ ଆସନ୍ତୁ ଜାଣିବା ଓଡିଶାର କିଛି ପ୍ରମୁଖ ବେଳାଭୂମି ସମ୍ପର୍କରେ ।

ପୁରୀ ବେଳାଭୂମି: ପୁରୀ ଓଡିଶାର ପୂର୍ବ ଭାଗରେ ଅବସ୍ଥିତ । ହିନ୍ଦୁ ଧର୍ମର ୪ ଧାମ ଭିତରୁ ଏହା ଅନ୍ୟତମ । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ବଡଦେଉଳ ସହ ଘୋଷ ଯାତ୍ରା ବିଶ୍ୱ ପ୍ରସିଦ୍ଧ । ପୁରୀକୁ ଓଡିଶା ସରକାରଙ୍କର ପର୍ଯ୍ୟଟନ ବିଭାଗର ମେରୁଦଣ୍ଡ କହିଲେବି ଭୁଲ୍ ହେବ ନାହିଁ । ଏଠାରେ ସୁଦୀର୍ଘ ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ । ପ୍ରତିବର୍ଷ ବହୁ ସଂଖ୍ୟାରେ ଉଭୟ ସ୍ଥାନୀୟ ଓ ବିଦେଶୀ ପର୍ଯ୍ୟଟକଙ୍କର ଏଠାରେ ଭିଡ ଲାଗିଥାଏ । ସମତଳ ବେଳାଭୂମି, ସଫା ପାଣି ସାଙ୍ଗକୁ ସ୍ୱଚ୍ଛ ପରିବେଶ ପାଇଁ ବର୍ଷର ସମସ୍ତ ସମୟ ଏହା ଲୋକାରଣ୍ୟ ରହିଥାଏ । ରହିବା ଖାଇବା ମଧ୍ୟ ସୁଲଭ ମୂଲ୍ୟରେ ମିଳିବା କାରଣରୁ ସମସ୍ତ ବର୍ଗଙ୍କୁ ଏହି ସ୍ଥାନ ସୁହାଇଥାଏ । ସକାଳେ ସମୁଦ୍ରରେ ମନ ଭରି ଗାଧୋଇ ସଂଧ୍ୟ୍ୟାରେ ବେଳାଭୂମିରେ ଲାଗିଥିବା ଉଠା ଦେକାନ ମାନଙ୍କରୁ ସି ଫୁଡ୍ର ମଜା ନିଅନ୍ତି ପର୍ଯ୍ୟଟକ । ଏହା ସହ ଏଠାରେ ରହିଛି ଭାରତର ସୁନାମ ଧନ୍ୟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କର ଶିଳ୍ପକଳା ପଦର୍ଶନୀ ମଧ୍ୟ ।

ଚନ୍ଦ୍ରଭାଗା: ପୁରୀ ଠାରୁ ୪୧ କି.ମି. ଦୂରେ ଅବସ୍ଥିତ କୋର୍ଣାକ ସହର । ଭାରତର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଏହା ଅନ୍ୟତମ । ଏହାର ଆକାର ଠିକ୍ ଏକ ରଥ ସଦୃଶ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ବୁଲିବାକୁ ଆସନ୍ତି । ଓଡିଶାର କଳା ସଂସ୍କୃତିକୁ ପାଖରୁ ଦେଖି ବୁଝିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କର ଏଠାରେ ଟିକେ ଅଧିକ ଭିଡ ଲାଗିଥାଏ । ଏଠାରୁ ୩କି.ମି. ଦୂରରେ ଅବସ୍ଥିତ ଚନ୍ଦ୍ରଭାଗା ବେଳାଭୂମି । ଏହି ବେଳାଭୂମି କୂଳରେ ଥିବା ଝାଉଁ ବଣ ଲୋକଙ୍କୁ ଏଠାକୁ ଆକର୍ଷିତ କରିଥାଏ । ସମୁଦ୍ର କୂଳର ଥଣ୍ଡା ଥଣ୍ଡା ପବନ ସହ ଝାଉଁ ଗଛ ଛାଇରେ ଭୋଜି କରିବାକୁ ପର୍ଯ୍ୟଟକଙ୍କର ଏଠି ବେଶ୍ ଭିଡ ଜମିଥାଏ ।

ପାରାଦ୍ୱୀପ ବନ୍ଦର: ପାରାଦ୍ୱୀପ ପୂର୍ବ ଭାରତର ଏକ ପ୍ରମୂଖ ବାଣିଜ୍ୟ କେନ୍ଦ୍ର ସହ ଓଡିଶାର ସବୁଠୁ ବଡ ସାମୁଦ୍ରିକ ବନ୍ଦର ଅଟେ । ଏହା ଓଡିଶା ଅର୍ଥନୀତିରେ ଉଭୟ ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷତ୍ରେରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଉପଯୁକ୍ତ ପରିବହନ କାରଣରୁ ଏଠାରେ ବହୁ ଛୋଟ ବଡ ଶିଳ୍ପ ମଧ୍ୟ ଗଢି ଉଠିଛି । ଏହାର କୂଳରେ ଲାଗୁଥିବା ବଡ ବଡ ଯାହାଜକୁ ପାଖରୁ ଦେଖିବାକୁ ପର୍ଯଟକଙ୍କ ଭିଡ ଜମୁଛି । ବ୍ୟବସାୟ ସ୍ଥଳ ସାଙ୍ଗକୁ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳିରେ ମଧ୍ୟ ପରିଣତ ହୋଇଗଲାଣି । ଏଠାକାର ବିଶ୍ୱକର୍ମା ପୂଜା ବିଶ୍ୱ ପ୍ରସିଦ୍ଦ ଅଟେ । ଏହାକୁ ଦେଖିବାକୁ ବହୁତ ଆଡୁ ଲୋକ ଏଠାକୁ ଆସନ୍ତି । ଡଙ୍ଗା ଭସା ଦିନ ଏଠାରେ ବେଲାଭୂମି ମହୋତ୍ସବର ମଧ୍ୟ ଆୟୋଜନ କରାଯାଇଥାଏ । ଏହା ଛଡା ଏଠାରେ ରହିଛି ମେରିନ୍ ଆକ୍ୱାରାମ୍ । ଯେଉଁଥିରେ ରହିଛନ୍ତି ଭଳିକି ଭଳି ମାଛ ଓ ସାମୁଦ୍ରିକ ଜୀବଯନ୍ତୁ । ସମୁଦ୍ର ଭିତରକୁ ନଯାଇ ମଧ୍ୟ ସାମୁଦ୍ରିକ ଜୀବଯନ୍ତୁ ଦେଖିବାର ମଜା ପର୍ଯ୍ୟଟକ ବାହାରୁ ରହି ନେଇ ପାରନ୍ତି ।

ଗୋପାଳପୁର ବେଳାଭୂମି: ବ୍ରହ୍ମପୁର ସହରରୁ ଗୋପାଳପୁର ବେଳାଭୂମି ଦୂରତା ୧୬ କି.ମି. । ଗୋପାଳପୁର ଏହାର ପରିଚ୍ଛନ୍ନ ସମୁଦ୍ର କୂଳ ଓ ନିର୍ଜନ ପରିବେଶ ପାଇଁ କ୍ରମଶ ପର୍ଯ୍ୟଟକଙ୍କୁ ପସନ୍ଦ ଆସିବାରେ ଲାଗିଛି । ବେଳାଭୂମିକୁ ଲାଗି ଛିଡା ହୋଇଥିବା ସୁଉଚ୍ଚ ହୋଟେଲ୍ ଗୁଡିକ ଏହାର ଶୋଭାକୁ ଦୁଇ ଗୁଣିତ କରିଥାଏ । ରୁମ ଭିତରୁ ସମୁଦ୍ରର ସୁନ୍ଦରତାକୁ ଉପଭୋଗ କରିବାକୁ ମଧ୍ୟ ଆନେକ ପସନ୍ଦ କରନ୍ତି । ଏଠାରେ ସମୁଦ୍ର ସ୍ନାନ ବିପଦ ଜନକ ହୋଇଥାଏ । ତେଣୁ ଏଠାରେ ସ୍ନାନ କରିବା ଅପେକ୍ଷା ବେଳାଭୂମିରେ ବସି ଏହାର ମଜା ନେବାକୁ ପର୍ଯ୍ୟଟକ ମାନେ ଅଧିକ ପସନ୍ଦ କରନ୍ତି । ପୁରୀ ଭଳି ଏଠାରେ ମଧ୍ୟ ଲାଇଟ ହାଉସ ରହିଛି ।

ଚାନ୍ଦିପୁର ବେଳାଭୂମି: ବାଲେଶ୍ୱର ଜିଲ୍ଲାର ଏହି ବେଳାଭୂମିକୁ ଏକ ରହସ୍ୟମୟ ବେଳାଭୂମି ମଧ୍ୟ କହିହେବ । ବାଲେଶ୍ୱର ସହର ଠାରୁ ମାତ୍ର ୧୬ କି.ମି. ଦୂରରେ ଅବସ୍ଥିତ ଏହା ଏକ ନିଆରା ବେଳାଭୂମି । ଯେଉଁଠି ସମୁଦ୍ର ପାଣି ବେଳାଭୂମିରୁ ୧୪ କି.ମି. ଯାଏଁ ଘୁଞ୍ଚି ଯାଏ ଓ ଜୁଆର ସମୟରେ ପୁଣି ଫେରିଆସେ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ । ଏହାକୁ ଦେଖିବାକୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଚାନ୍ଦିପୁର ବେଳାଭୂମି ଠାରେ ଥିବା ଭାରତୀୟ ସେନାର ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ର ଏଠାକାର ବିଶେଷ ଆକର୍ଷଣ । ଏଠାରେ ଭାରତୀୟ ସେନାର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ରହିଛି । ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ,ପୃଥିବି ପରି ଅନେକ କ୍ଷମତା ଧାରି ମିଶାଇଲ ପରୀକ୍ଷଣ କରାଯାଇଛି ।
ତାଳସାରି ଓ ଉଦୟପୁର: ବାଲେଶ୍ୱର ଓ ବଙ୍ଗଳା ସୀମାକୁ ଲାଗି ରହିଛି ତାଳସାରି ଓ ଉଦୟପୁର ବେଳାଭୂମି । ଏହାକୁ ଓଡିଶାର ଗୋଆ ବୋଲି ମଧ୍ୟ କୁହାଯାଏ । ତାଳସାରି ଓ ଉଦୟପୁରର ମୁଖ୍ୟ ଆକର୍ଷଣ ଏଠାକାର ବିରଳ ନାଲି କଙ୍କଡା ଓ ସମୁଦ୍ର ମଝିରେ ଥିବା ଛୋଟ ଛୋଟ ଟାପୁ ଯାହା ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ ।

ଗହିରମଥା: କେନ୍ଦ୍ରାପଡାର ରାଜନଗର ଗହିରମଥା ଏକ ସାମୁଦ୍ରିକ ଅଭୟାରଣ୍ୟ । ଏଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଏଠାକାର ଅଲିଭ ରିଡ୍ଲେ କଇଁଛ । ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କର ଭିଡ ବେଶ ଜମିଥାଏ । ନଭେମ୍ବର ୧ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କଇଁଛ ମାନେ ଅଣ୍ଡାଦାନ କରିଥାନ୍ତି । ଲକ୍ଷ ଲକ୍ଷ କଇଁଛ ଏହି ପକ୍ରିୟାରେ ସାମିଲ ହୋଇଥାଆନ୍ତି ।

Leave A Reply

Your email address will not be published.