Latest Odisha News

BREAKING NEWS

ପହଲଗାମ ଘଟଣା ପୂର୍ବରୁ ଗୁଇନ୍ଦା କରାଇଥିଲା ସତର୍କ, କିନ୍ତୁ ଟାର୍ଗେଟ ଥିଲା ଏଠି!

ଶ୍ରୀନଗର: ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଆଭାସ ପାଇଥିଲା ଗୁଇନ୍ଦା । କିଛି ଦିନ ପୂର୍ବରୁ ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଶ୍ରୀନଗରର ଉପକଣ୍ଠରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ସତର୍କ କରାଇଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ଶ୍ରୀନଗରର ଜାବରଓ୍ୱାନ ପର୍ବତମାଳା ନିକଟସ୍ଥ ହୋଟେଲଗୁଡ଼ିକରେ ରହୁଥିବା ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ନିଶାନା କରିପାରନ୍ତି ବୋଲି ସୂଚନା ମିଳିଥିଲା।

ଏହି ଗୁଇନ୍ଦା ସୂଚନା ଆଧାରରେ ଶ୍ରୀନଗରର ଡାଚିଗାମ, ନିଶାତ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବରିଷ୍ଠ ପୁଲିସ ଅଧିକାରୀମାନେ ଶ୍ରୀନଗରରେ ଖାନ ତଲାସି ଅଭିଯାନ ଚଳାଇଥିଲେ। ଦୁଇ ସପ୍ତାହ ଧରି ଚାଲିଥିବା ଏହି ତଲାସି ଅଭିଯାନ ସତ୍ତ୍ୱେ, କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳି ନ ଥିଲା। ଅଭିଯାନଟି ଏପ୍ରିଲ ୨୨ ତାରିଖରେ, ଅର୍ଥାତ୍ ପହଲଗାମ ଆକ୍ରମଣର ଦିନ ହିଁ ବନ୍ଦ କରାଯାଇଥିଲା।

ଅଧିକାରୀଙ୍କ ମତରେ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାତ୍ରା-ଶ୍ରୀନଗର ଟ୍ରେନ ଉଦଘାଟନ ସମୟରେ ଏପରି ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏହି ରେଳ ସଂଯୋଗ କଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟ ଅଞ୍ଚଳ ସହ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ, ଯାହା ପାକିସ୍ତାନ ପକ୍ଷରୁ ଅସନ୍ତୋଷର କାରଣ ହୋଇପାରେ। କିନ୍ତୁ, ଏପ୍ରିଲ ୧୯ରେ ପ୍ରଧାନମନ୍ତ୍ରୀ ଖରାପ ପାଗ ଯୋଗୁଁ ଏହି ଯାତ୍ରା ସ୍ଥଗିତ ହୋଇଥିଲା।

ପହଲଗାମ ଆକ୍ରମଣ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ, ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ପର୍ଯ୍ୟଟକଙ୍କ ସହ ମିଶି ଯାଇଥିଲେ। ପ୍ରଥମ ଗୁଳି ଚଳାଇବା ମାତ୍ରେ ସେମାନେ ପର୍ଯ୍ୟଟକଙ୍କୁ ଏକ ଫୁଡ କୋର୍ଟ ଅଞ୍ଚଳକୁ ନେଇଥିଲେ, ଯେଉଁଠାରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ଗୁଳି ଚଳାଇ ୨୬ ଜଣଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା ସାଧାରଣ ନାଗରିକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଏବଂ ସମ୍ଭବତଃ ଦେଶର ଅନ୍ୟ ଅଞ୍ଚଳରେ କଶ୍ମୀରୀଙ୍କ ବିରୁଦ୍ଧରେ ପ୍ରତିଶୋଧମୂଳକ ଆକ୍ରମଣକୁ ଉସକାଇବା।

ଅଧିକାରୀମାନେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦର ନୂଆ ଧରଣ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପହଲଗାମରୁ ଏମ-ସିରିଜ ରାଇଫଲ, ସ୍ନାଇପର ରାଇଫଲ ଏବଂ ଆର୍ମର-ପିଅର୍ସିଂ ବୁଲେଟ ଭଳି ଉନ୍ନତ ଅସ୍ତ୍ରଶସ୍ତ୍ର ଉଦ୍ଧାର ହେଉଛି । ଯାହା ଆଫଗାନିସ୍ତାନରେ ନାଟୋ ସୈନିକ ଛାଡ଼ିଯାଇଥିବା ଅସ୍ତ୍ରଶସ୍ତ୍ର ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଏହି ଆକ୍ରମଣର ତଦନ୍ତ ଆରମ୍ଭ କରିଛି ଏବଂ ଘଟଣାସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରୁଛି। ଜମ୍ମୁ ଓ କଶ୍ମୀର ପୁଲିସ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ ଜାରି କରି ୬୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ଜଡ଼ିତ ଜଣେ ପାକିସ୍ତାନୀ ଆତଙ୍କବାଦୀ ହାସିମ ମୁସା ପୂର୍ବରୁ ପାକିସ୍ତାନର ପାରାମିଲିଟାରୀ ଫୋର୍ସରେ କାର୍ଯ୍ୟ କରୁଥିଲା ଏବଂ ପରେ ଲସ୍କର-ଏ-ତୋଇବାରେ ଯୋଗ ଦେଇଛି।

ଏହି ଘଟଣା ଜମ୍ମୁ ଓ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାରେ ଗୁଇନ୍ଦା ବିଫଳତାର ଏକ ବଡ଼ ଉଦାହରଣ ଭାବେ ଚର୍ଚ୍ଚା ହେଉଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ସେ କହିଛନ୍ତି, “ସମଗ୍ର ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, କିନ୍ତୁ ସରକାରଙ୍କୁ ଏଭଳି ନୃଶଂସ ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ହେବ।”

ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ବିଭିନ୍ନ ଚୁକ୍ତି ବାତିଲ ହୋଇଛି । ଏହି ଘଟଣା କଶ୍ମୀରରେ ପର୍ଯ୍ୟଟନ ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇଛି।

Comments are closed.