Latest Odisha News

ପୂର୍ବ କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଥାନାରେ ମୋତେ ଗେଟ୍ ଆଉଟ୍‌ କହିଥିଲେ ଆଇଆଇସି

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି l ସମ୍ମିଳନୀରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି l ତେବେ ଆଜି ଜିଲ୍ଲାପାଳଙ୍କ ସହ ବୈଠକ ପରେ ଆସନ୍ତାକାଲି ଏସ୍‌ପିଙ୍କ ସହ ଆଲୋଚନା କରାଯିବ l ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଦେଉଥିବା ବେଳେ ପୂର୍ବ କଥା ମନେ ପକାଇଛନ୍ତି l ପୂର୍ବରୁ ତାଙ୍କ ପ୍ରତି ପୋଲିସ କର୍ମଚାରୀ କରିଥିବା ଦୁର୍ବ୍ୟବହାର କଥା ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ଥାନାଅଧିକାରୀଙ୍କ ବ୍ୟବହାର ଅତି କଠୋର ଥିଲା l ବିରୋଧୀ ଦଳ ନେତା ଭାବେ ମୁଁ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲି l ମାତ୍ର ଥାନାର ଆଇଆଇସି ମୋ ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ଅଧିକାର ନାହିଁ ବୋଲି ମୋତେ କହିଥିଲେ l ଆମ ଥାନାକୁ କାହିଁକି ଆସିଛ କହି ଆଇଆଇସି ମୋତେ ଗେଟ୍ ଆଉଟ୍‌ ବୋଲି କହିଥିଲେ l ଏପରିସ୍ଥିତି ରାଜ୍ୟରେ ଆମ ସରକାର ଆସିବାର ଏକ ମାସ ପୂର୍ବରୁ ହୋଇଥିଲା l

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଆମ ସରକାର ଗଠନ ହେବା ପରେ ଏବଂ ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ଥାନାକୁ ଯାଇଥିଲି l ସେତେବେଳେ ଆଇଆଇସିଙ୍କ ଅବସ୍ଥା କଣ ଥିବ, କାହା ଚାପରେ କିମ୍ବା ଅଜ୍ଞାନରେ ଏମିତି କରିଥିବେ ଭାବି ତାଙ୍କୁ କ୍ଷମା ଦେଲି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l ଥାନାକୁ ଯାଉଥିବା ଲୋକଙ୍କ ସହ ଉଚିତ ବ୍ୟବହାର କର, ତାଙ୍କ କଥା ପ୍ରଥମେ ଶୁଣ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତି ଖୋର ଅଫିସରଙ୍କ ଟ୍ରାନ୍ସଫର୍‌ କରିବାରେ ପଛଘୁଞ୍ଚା ଦିଅନି। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳଙ୍କ ହାତରେ କ୍ଷମତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.