Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଜାପାନ ୩-୨ରେ ପରାସ୍ତ, କ୍ୱାର୍ଟର ଫାଇନାଲରେ ବେଲଜିୟମ

ମସ୍କୋ : ଇତିହାସ ରଚିଥାନ୍ତା ଏସୀୟ ରାଷ୍ଟ୍ର ଜାପାନ । ବିଶ୍ୱକପ ଫୁଟବଲ ଇତିହାସରେ ଜାପାନ ସୁନ୍ଦର ଖେଳ ପ୍ରଦର୍ଶନ କରି ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି । ଏକ ଚିତାକର୍ଷକ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମଠୁ ପରାସ୍ତ ହୋଇଥିଲେ ବି ସମସ୍ତଙ୍କ ମନ ଜିଣିନେଲା ଜାପାନ ଫୁଟବଲ ଟିମ । ମ୍ୟାଚର ଅନ୍ତିମ କ୍ଷଣରେ ବେଲଜିୟମ ଏକ ଗୋଲଦେଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେଲା ।

ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ କାହାରିକୁ ଗୋଲ ଦେଇପାରିନଥିଲେ । ଖେଳର ଦ୍ୱିତୀୟାର୍ଦ୍ଧର ୪୮ ମିନିଟରେ ଜାପାନ ପକ୍ଷରୁ ହାରାଗୁଚି ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ । ଗୋଟିଏ ଗୋଲ ଦେଇ ବେଶ ଦ୍ରୁତ ଗତିରେ ଖେଳି ଚାଲିଲା ଜାପାନ । ୫୨ ମିନିଟରେ ମିଡ଼ ଫିଲ୍ଡର ଇନୁଇ ଜାପାନ ତରଫରୁ ୨ୟ ଗୋଲ ଦେଇ ଜାପାନକୁ ୨-୦ ଗୋଲରେ ଏକ ନିଶ୍ଚିତ ବିଜୟର ଦ୍ୱାରଦେଶ ଆଡ଼କୁ ନେଇଯାଉଥିଲେ ।

ତେବେ ଜାପାନର ଏହି ଖୁସି ବେଶି ସମୟ ରହିନଥିଲା । ମ୍ୟାଚର ୬୯ ମିନିଟରେ ଅଧିନାୟକ ଭେଟୋଗେନ ଏକ ଚମତ୍କାର ଗୋଲ ଦେଇଥିଲେ । ଫେଲାନି ବେଲଜିୟମ ପକ୍ଷରୁ ୨ୟ ଗୋଲ ସ୍କୋର ଦେବା ଫଳରେ ସ୍କୋର ୨-୨ରେ ବରାବର ରହିଥିଲା ।

୯୦ ମିନିଟର ଖେଳ ଶେଷ ବେଳକୁ ୨-୨ ସ୍କୋର ରହିଥିଲା । ମାତ୍ର ଇନଜ୍ୟୁରୀ ଟାଇମରେ ଖେଳର ଶେଷ କ୍ଷଣରେ ଚାଡ଼ଲି ବେଲଜିୟମ ପକ୍ଷରୁ ସୁନ୍ଦର ଗୋଲ ଦେଇ ଜାପାନଠାରୁ ମ୍ୟାଚ୍କୁ ଛଡ଼ାଇ ଆଣିଥିଲେ । ରେଫରୀଙ୍କ ଶେଷ ହୁଇସିଲ ବାଜିଥିଲା । ବେଲଜିୟମ ଏହି ସଂଘର୍ଷପୂଣ୍ଣ ମ୍ୟାଚରେ ୩-୨ ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା ।

ତେବେ କ୍ୱାର୍ଟର ଫାଇନାଲରେ ବେଲଜିୟମ ଭେଟିବ ଟାଇଟଲ ଦାବିଦାର ବ୍ରାଜିଲକୁ ।

Leave A Reply

Your email address will not be published.