ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ସାଇବର୍ ଠକେଇ ଜନିତ ଘଟଣା ସାମ୍ନାକୁ ଆସୁଛି । କେହି ଏଥିରୁ ବର୍ତ୍ତି ପାରୁନାହାନ୍ତି । ଏପରିକି ଜଣେ ଯନ୍ତ୍ରୀ ମଧ୍ୟ ଏହି ସାଇବର୍ ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି ।
ଘରର ବିଦ୍ୟୁତ୍ ସଂଯୋଗ କଟିଯିବ କହି ବ୍ରହ୍ମପୁର ମହାନଗର ନିଗମର ଜଣେ ଯନ୍ତ୍ରୀଙ୍କ ଠାରୁ ୭ ଥରରେ ମୋଟ ୧ ଲକ୍ଷ ୩ ହଜାର ୯୯୬ ଟଙ୍କା ଠକି ନେଇଛନ୍ତି ସାଇବର୍ ଠକ। ଏନେଇ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ କେସ ନଂ ୩୧/୨୨ରେ ଏକ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ମହାନଗର ନିଗମରେ ଡେପୁଟି ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଭାବେ କାମ କରୁଛନ୍ତି ଏମ୍.ନାଗେଶ୍ବର ସୁବୁଦ୍ଧି । ସ୍ଥାନୀୟ ସୁରଜ ବିହାର ଦ୍ବିତୀୟ ଲାଇନରେ ତାଙ୍କ ଘର । ତାଙ୍କ ପାଖକୁ ଗତ ୪ ଦିନ ପୂର୍ବେ ମୋବାଇଲ ନମ୍ବର ୯୮୬୧୮୦୯୦୫୨ରୁ ଏକ ମେସେଜ୍ ଆସିଥିଲା । ସନ୍ଧ୍ୟା ପୂର୍ବରୁ ବକେୟା ବିଦ୍ୟୁତ୍ ବିଲ୍ ପଇଠ ନକଲେ ସଂଯୋଗ କଟିଯିବ ବୋଲି ସେଥିରେ ଲେଖା ହୋଇଥିଲା ।
ଯନ୍ତ୍ରୀ ନାଗେଶ୍ବର ମେସେଜ ଆସିଥିବା ଲିଙ୍କରେ କ୍ଲିକ କରିଥିଲେ । କ୍ଲିକ କରିବା ପରେ ଏକ ଓ୍ୱେବ ପେଜ୍ ଖୋଲିଥିଲା । ସେଥିରେ ନିଜର ଇ-ମେଲ ଓ ମୋବାଇଲ ନମ୍ବର ଦାଖଲ କରିଥିଲେ । ଏହା ପରେ ସାଇବର ଠକ ମାନେ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଏକ ରିମୋଟ ଆକସେସ୍ ଆପ୍ ଡାଉନଲୋଡ କରିବାକୁ ପରାମର୍ଶ ଦେଇଥିଲେ।
ନାଗେଶ୍ବର ସେହି ଆପ ଡାଉନଲୋଡ କରିବା ପରେ ଠକ ମାନେ ତାଙ୍କୁ ୧୦ ଟଙ୍କା ଡିପୋଜିଟ କରିବାକୁ କହିଥିଲେ। ସେହିକ୍ରମରେ ନାଗେଶ୍ବର ନିଜ ଏଚଡିଏଫସି ବ୍ୟାଙ୍କର ଡେବିଟ୍ କାର୍ଡରୁ ୧୦ ଟଙ୍କା ପଇଠ କରିଥିଲେ।
ଯେହେତୁ ନାଗେଶ୍ବର ନିଜ ମୋବାଇଲରେ ଏକ ଆପ ଡାଉନଲୋଡ କରିଛନ୍ତି, ତେଣୁ ସାଇବର ଠକମାନେ ତାଙ୍କ ମୋବାଇଲକୁ ପରିଚାଳନା କରିବାରେ ସକ୍ଷମ ହୋଇଥିଲେ। ସେହି କ୍ରମରେ ଠକମାନେ ନାଗେଶ୍ବରଙ୍କ ଆକାଉଣ୍ଟରୁ ପ୍ରଥମେ ୪ହଜାର, ପରେ ୧୯,୯୯୯ଟଙ୍କା ଭଳି ମୋଟ ୭ଟି କାରବାର ଜରିଆରେ ମାତ୍ର ଏକ ଘଣ୍ଟା ଭିତରେ ମୋଟ ୧ ଲକ୍ଷ ୩ ହାଜର ୯୯୬ ଟଙ୍କା କଟି ଯାଇଥିଲା।
ଆକାଉଣ୍ଟରୁ ଟଙ୍କା କଟିଯିବା ପରେ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ଏ ନେଇ ନାଗେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
Comments are closed.