ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବହୁ ବର୍ଷ ପର୍ଯ୍ୟନ୍ତ ପ୍ରମୁଖ ଜଳ ଉତ୍ସ ରହିଥିଲା ପୋଖରୀ । କିନ୍ତୁ ଗତ କିଛି ବର୍ଷ ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଲାଣି । ଅନେକ ପୋଖରୀ ମୁଷ୍ଠିମେୟଙ୍କ ଜବରଦଖଲରେ ରହିଛି । ଅନେକ ସ୍ଥାନରେ ପୋଖରୀ ଦଳରେ ଭର୍ତ୍ତି ହେଲାଣି । ପରିସ୍ଥିତି ଏମିତି ଯେ, ଅନେକ ପୋଖରୀର ପାଣି ଆଉ ଶୌଚ ଯୋଗ୍ୟ ନାହିଁ ।
ତେବେ ଏନେଇ ସହରବାସୀଙ୍କ ଦୀର୍ଘ ଦିନର ଦାବି ପରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ପୋଖରୀ ପୁନଃରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଉଛି । ପୋଖରୀରୁ ଦଳ ସଫା କରିବା ମେସିନ କିଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
୨୦୦୪ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଉଦ୍ୟମରେ ୪୨ଟି ପୋଖରୀ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ବହୁ କୋଟି ଟଙ୍କାର ଅନୁଦାନ ଆସିଥିଲା । ଏହାରି ମଧ୍ୟରେ କେତକ ପୋଖରୀ ପୁନରୁଦ୍ଧାର ହେଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ମଧ୍ୟ ନଷ୍ଟ ହୋଇଗଲାଣି । କେଉଁଠି ପୋତି ହୋଇଗଲାଣି ତ’ ଆଉ କେଉଁଠି ଅଳିଆ ଆବର୍ଜନରେ ଭର୍ତ୍ତି ହୋଇଯାଇଛି। କେତକ ପୋଖରୀ ଦଳ ସଫା ହେଉନଥିବା ଯୋଗୁଁ ତାହା ବଢ଼ି ଚାଲିଛି ।
ସହରରେ ରହିଥିବା ୪୨ଟି ପୋଖରୀରୁ କେବଳ ହାତ ଗଣତି ଦୁଇରୁ ତିନୋଟି ପୋଖରୀକୁ ଛାଡ଼ି ଦେଲେ ଅନ୍ୟ ପୋଖରୀର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ସହରବାସୀ ପୂର୍ବରୁ ପୋଖରୀର ପାଣିକୁ ପିଇବା ପାଇଁ ବ୍ୟବହାର କରୁଥିଲେ । ହେଲେ ଏବେ ପିଇବା ତ’ ଦୂରର କଥା ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ମଧ୍ୟ ବ୍ୟବହାର କରିହେଉନି । କାରଣ ପୋଖରୀ ଗୁଡ଼ିକରେ ଦଳଦଳ ହୋଇ ଅନାବନା ଗଛ ଉଠି ଯାଇଥିବା ବେଳେ ପାଣି ମଧ୍ୟ ଦୂଷିତ ଅବସ୍ଥାରେ ରହିଛି ।
ଏହି ପୋଖରୀରେ ଗାଧୋଇବା ଦ୍ବାରା ନାନା ରୋଗରେ ମଧ୍ୟ ଲୋକେ ପଡ଼ୁଛନ୍ତି । ବହୁ ବର୍ଷ ପୂର୍ବେ ସହରରେ ରହିଥିବା ସମସ୍ତ ପୋଖରୀ ମଧ୍ୟରେ ସଂଯୋଗ ରହିଥିଲା। କିନ୍ତୁ ବର୍ତ୍ତମାନ ପୋଖରୀ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ପୋଖରୀର ଅବସ୍ଥା ମଧ୍ୟ କହିଲେ ନ ସରେ। ସହରରେ ପୂର୍ବରୁ ଅନେକ ପୋଖରୀ ରହିଥିବା ବେଳେ କାଳକ୍ରମେ ତାହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବହୁ ପୋଖରୀ ପୋତି ହୋଇଯାଇଛି। ୪୨ରୁ ପ୍ରାୟ ୩୭ଟି ପୋଖରୀର ଦଳରେ ଭର୍ତ୍ତି ହୋଇଯାଇଛି ।
ସେହିପରି ପୋଖରୀର ପାଣି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଦୂଷିତ ହୋଇଯାଇଛି । ଅନ୍ୟପଟେ ସହରବାସୀ ମଧ୍ୟ ପୋଖରୀଗୁଡ଼ିକୁ ସଫାସୁତରା ରଖିବା ନେଇ ସଚେତନ ନାହଁାନ୍ତି । ପୂଜା ସାମଗ୍ରୀ ହେଉ ଅବା ଅନ୍ୟାନ୍ୟ ସାମଗ୍ରୀ ନେଇ ପୋଖରୀରେ ପକାଉଛନ୍ତି । ନଡ଼ିଆ, ଫୁଲ, ଦୀପ ଧୂପ ଆଦି ପଡ଼ିବା ଦ୍ବାରା ପୋଖରୀ ପାଣି ଦୂଷିତ ହୋଇଯାଇଛି । ଏପରିକି ବହୁ ଲୋକ ଘର ଆବର୍ଜନା ମଧ୍ୟ ପକାଉଛନ୍ତି । ଏଭଳି ସମସ୍ୟାକୁ ଦେଖି ମହାନଗର ନିଗମ ପକ୍ଷରୁ ଗତ କିଛି ବର୍ଷ ପୂର୍ବେ ପୋଖରୀଗୁଡ଼ିକ ଚାରିପଟରେ ତାର ବାଡ଼ ବେଢ଼ାଇଥିଲେ ସୁଧା ଅନେକ ସ୍ଥାନରେ ତାର ବାଡ଼ ଭାଙ୍ଗି ଗଲାଣି। ତେବେ ଭାଙ୍ଗିରୁଜି ଯାଇଥିବା ତାରବାଡକୁ ମରାମତି କରିବା ସହ ପୋଖରୀ ସଫେଇ ଦିଗରେ ମହାନଗର ନିଗମ ପଦକ୍ଷେପ ନେଇ ଦଳ କଢ଼ିବା ବା ସଫେଇ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ର ନିୟୋଜିତ କରିବାକୁ ଠିକା ଆହ୍ବାନ କରାଯାଇଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇ ବର୍ଷ ଏବଂ ପରେ ଏହାକୁ ଆଉ ୪ ବର୍ଷ ବୃଦ୍ଧି ଭାବେ ମୋଟ ୬ ବର୍ଷ ଏହାର କାର୍ଯ୍ୟକାଳ ରହିବ। ଏହି କାର୍ଯ୍ୟରେ କର୍ମଚାରୀ ନିୟୋଜିତ ଦାୟିତ୍ବ ମଧ୍ୟ ଘରୋଇ ସଂସ୍ଥା ବହନ କରିବ। ଚଳିତ ମାସ ଶେଷ ସୁଦ୍ଧା ଠିକା ପ୍ରଦାନ ପ୍ରକିୟା ଶେଷ ହେବ ବୋଲି ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ମହାନଗର ନିଗମ ତରଫରୁ ଦଳ କାଢ଼ିବା ପାଇଁ ଆଧୁନିକ ଯନ୍ତ୍ରପାତି କିଣିବା ପାଇଁ ଉଦ୍ୟମ ହୋଇଥିଲା । ମହାନଗର ନିଗମର ପ୍ରସ୍ତାବକୁ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ପ୍ରତ୍ୟାକ୍ଷାନ କରିଦେଇଥିଲା ।
ଏହାରି ମଧ୍ୟରେ ସାଂସଦ ଶ୍ରୀ ସାହୁ ଘରୋଇ ସଂସ୍ଥା ଦ୍ବାରା ଏଭଳି ଯନ୍ତ୍ରପାତି କ୍ରୟ କରି ନିଗମ କାର୍ଯ୍ୟରେ ବ୍ୟବହାର କରିବା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ନିଗମର ଚଳିତ ବଜେଟରେ ଯନ୍ତ୍ରପାତି କ୍ରୟ କରି ପୋଖରୀ ସଫେଇ କରିବା ପାଇଁ ଯୋଜନା କରାଯାଇଥିବା ବେଳେ ଏନେଇ ଟେଣ୍ଡର ଆହ୍ବନ କରାଯାଇଛି ବୋଲି ମହାନଗର ନିଗମର କମିସନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ପ୍ରକାଶ କରିଛନ୍ତି । ସହରର ପୋଖରୀଗୁଡ଼ିକ ସଂପ୍ରତି ଏକ ପ୍ରକାର ଅପମୃତ୍ୟୁର ଦ୍ବାରରେ ପହଞ୍ଚି ଯାଇଥିବା ବେଳେ ଯନ୍ତ୍ରପାତି ଆସିବା ପରେ ପୋଖରୀର ପୁନଃରୁଦ୍ଧାର ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ସାଧାରଣରେ ଆଲୋଚନା ହେଉଛି ।
Comments are closed.