Latest Odisha News

BREAKING NEWS

ମୁଁ ମହାଲକ୍ଷ୍ମୀଙ୍କୁ ଭଲ ପାଉଥିଲି…

ଭୁବନେଶ୍ବର: ବେଙ୍ଗାଲୁରୁରେ ହତ୍ୟା, ଭଦ୍ରକରେ ଆତ୍ମହତ୍ୟା । ସୁଇସାଇଡ୍ ନୋଟରେ ସଂପର୍କର ସତ । ମୃତ୍ୟୁ ପୂର୍ବରୁ ମାଆଙ୍କୁ କହିଥିଲା ମର୍ଡର ଷ୍ଟୋରୀ । ବେଙ୍ଗାଳୁରୁର ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରାୟ। ବୁଧବାର ସେ ଭଦ୍ରକ ଧୁଷୁରୀ ଥାନା କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏହା ପୂର୍ବରୁ ସେ ସୁଇସାଇଡ୍ ନୋଟରେ ସବୁ ସତ ଲେଖିଛି । କେମିତି ସେ ମହାଲକ୍ଷ୍ମୀଙ୍କୁ ଭଲ ପାଉଥିଲା, କେମିତି ମହାଲକ୍ଷ୍ମୀ ତାଙ୍କୁ ଫସାଇବାକୁ ଧମକ ଦେଉଥିଲେ, ଗୋଟି ଗୋଟି କରି ପୂରା କାହାଣୀ ଲେଖିଛି ମୁକ୍ତିରଞ୍ଜନ ।

ସୁଇସାଇଡ୍ ନୋଟରେ ସଂପର୍କର ସତ

ମହାଲକ୍ଷ୍ମୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ସୁଇସାଇଡ୍ ନୋଟରେ ନିଜ ଅପରାଧ ମାନିଛି । ମୁକ୍ତିରଞ୍ଜନ ମହାଲକ୍ଷ୍ମୀଙ୍କୁ ଭଲ ପାଉଥିଲା । ତାଙ୍କ ପିଛା ଟଙ୍କା ବି ଖର୍ଚ୍ଚ କରୁଥିଲା । ହେଲେ ମହାଲକ୍ଷ୍ମୀ ତାକୁ କି଼ଡନାପିଂ କେସରେ ଫସାଇବାକୁ ଧମକ ଦେଉଥିବା ମୁକ୍ତିରଞ୍ଜନ ଲେଖିଛି । ସୁଇସାଇଡ୍ ନୋଟରେ ଅଧିକାଂଶ ଇଂରାଜୀରେ ଲେଖିଥିବା ବେଳେ କିଛି ସ୍ଥାନରେ ଓଡିଆ ଭାଷାର ବ୍ୟବହାର କରିଛି ମୁକ୍ତିରଞ୍ଜନ । ମୁକ୍ତି ମହାଲକ୍ଷ୍ମୀଙ୍କୁ ଭଲ ପାଉଥିଲା ଓ ବିବାହ କରିବାକୁ ଚାହୁଁଥିଲା ବୋଲି ତାଙ୍କ ଭାଇ ସତ୍ୟରଞ୍ଜନ ରାୟ କହିଛନ୍ତି । ଥରେ ମୋଟର ସାଇକେଲରେ କେରଳ ଯିବା ବାଟରେ ମହାଲକ୍ଷ୍ମୀ ତାଙ୍କୁ ମୁକ୍ତି ଅପହରଣ କରୁଥିବା କହିଥିଲେ । ଲୋକେ ମୁକ୍ତିକୁ ମାଡ ମାରିବା ସହ ପୋଲିସ ଜିମା ଦେଇଥିଲେ । ପରେ ହଜାରେ ଟଙ୍କା ଲାଞ୍ଚ ଦେଇ ମୁକୁଳିଥିଲା ମୁକ୍ତି। ମହାଲକ୍ଷ୍ମୀଙ୍କ ଭାଇ ଓ ଭାଇର ସାଙ୍ଗ ମୁକ୍ତିକୁ ଧମକ ଦେଉଥିଲେ । ରାଗରେ ମୁକ୍ତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା । ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରି ବିଫଳ ହେବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିବା ମୁକ୍ତିର ଭାଇ କହିଛନ୍ତି । ଟଙ୍କା ମାଗିବା ସହ ମୁକ୍ତିକୁ ମହାଲକ୍ଷ୍ମୀ ବ୍ଲାକମେଲିଂ କରୁଥିବା ମୁକ୍ତିଙ୍କ ପରିବାର ଲୋକେ କହିଛନ୍ତି । ମହାଲକ୍ଷ୍ମୀ ମୁକ୍ତିଠାରୁ ସୁନା ହାର, ମୁଦି ଓ ଦାମୀ ମୋବାଇଲ୍ ଫୋନ୍ ନେଇଥଲେ । ମହାଲକ୍ଷ୍ମୀ ସହ ସଂପର୍କ ପରେ ପରିବାରକୁ ଟଙ୍କା ପଠାଇ ପାରୁନଥିଲା ମୁକ୍ତି । ଗତ ଦେଢବର୍ଷ ହେଲା ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।

ତିନି ବର୍ଷ ପରେ ଘରକୁ ଆସିଥିଲା ମୁକ୍ତି

ଆତ୍ମହତ୍ୟାର ଗୋଟିଏ ରାତି ପୂର୍ବରୁ ହିଁ ଓଡିଶା ଆସିଥିଲା ମୁକ୍ତିରଞ୍ଜନ । ପ୍ରାୟ ୩ବର୍ଷ ପରେ ସେ ଗାଁକୁ ଆସିଥିଲା । ମହାଲକ୍ଷ୍ମୀଙ୍କୁ ମାରି ଦେଇଥିବା ମୁକ୍ତିରଞ୍ଜନ ମାଆଙ୍କ ଆଗରେ କହିବା ସହ ବହୁତ କାନ୍ଦିଥିଲା । ମାଆଙ୍କ ଆଗରେ ହତ୍ୟା କରିଥିବା ମାନିବା ପରେ ପରଦିନ ସକାଳ ୫ଟାରେ ହିଁ ଆତ୍ମହତ୍ୟା କରିଥିଲା ମୁକ୍ତିରଞ୍ଜନ । ସୁଇସାଇଡ୍ ନୋଟ୍ ସହ ଏକ ଲାପଟପ୍ ଓ ଡାଏରୀ ମଧ୍ୟ ଜବତ କରିଛି ପୋଲିସ । ହତ୍ୟାକାଣ୍ଡକୁ ନେଇ ଏଥିରୁ ବି ସୁରାକ ଖୋଜୁଛି ପୋଲିସ ।

ଏକାଠି କାମ କରୁଥିଲେ ମୁକ୍ତି ଓ ମହାଲକ୍ଷ୍ମୀ

ମୁକ୍ତିରଞ୍ଜନ ଓ ମହାଲକ୍ଷ୍ମୀ ଏକାଠି ଏକ ଲୁଗା ଦୋକାନରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସଂପର୍କ ବଢିଥିଲା । ବିବାହ ପାଇଁ ମୁକ୍ତି ଉପରେ ଚାପ ପକାଉଥିଲେ ମହାଲକ୍ଷ୍ମୀ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ହତ୍ୟା ପୂର୍ବରୁ ବି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ମୁକ୍ତିରଞ୍ଜନ ମହାଲକ୍ଷ୍ମୀଙ୍କ ମୁଣ୍ଡକୁ ଆଘାତ କରିଥିଲା । ଫଳରେ ସେ ପ୍ରାଣ ହରାଇଥିଲେ । ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା ବୋଲି ପୋଲିସ କହିଛି ।

ହତ୍ୟା ପରେ ଫେରାର ଥିଲା ମୁକ୍ତି

ସେପ୍ଟେମ୍ବର ୨୧ତାରିଖରେ ବେଙ୍ଗାଳୁରୁର ଏକ ଘରୁ ମହାଲକ୍ଷ୍ମୀଙ୍କ ମୃତଦେହ ୫୯ଖଣ୍ଡରେ କଟାଯାଇ ଫ୍ରିଜରେ ରଖାଯାଇଥିବା ଅବସ୍ଥାରେ ମିଳିଥିଲା। ଏହାପରେ ପୋଲିସ ମହାଲକ୍ଷ୍ମୀଙ୍କ ଫୋନରେ କଲ୍ ରେକର୍ଡ ଖୋଳତାଡ କରିଥିଲା । ମୁକ୍ତିରଞ୍ଜନକୁ ମହାଲକ୍ଷ୍ମୀ ବାରମ୍ବାର କଲ୍ କରିବା ପୋଲିସର ସନ୍ଦେହ ବଢାଇଥିଲା। ମୁକ୍ତି ଫୋନ୍ ବନ୍ଦ ରହିଥିବା ବେଳେ ସେ ହଠାତ୍ ଗାୟବ ହୋଇଯାଇଥିଲା। ଏହାପରେ ମୁକ୍ତିରଞ୍ଜନ ଗାଁକୁ ପଳାଇ ଆସିଥିଲା। ମଙ୍ଗଳବାର ରାତିରେ ଘରେ ପହଞ୍ଚି ବୁଧବାର ସକାଳେ ଭଦ୍ରକ ଯିବାକୁ କହି ଘରୁ ବାହାରି ଆତ୍ମହତ୍ୟା କରିଥିଲା। ମହାଲକ୍ଷ୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ତେବେ ଏପର୍ଯ୍ୟନ୍ତ ହତ୍ୟାରେ ବ୍ୟବହାର ହୋଇଥିବା ଅସ୍ତ୍ର ପୋଲିସ ପାଇନି । ସୁଇସାଇଡ୍ ନୋଟରେ ହତ୍ୟା କରିଥିବା ମାନିଥିଲେ ବି ମୁକ୍ତିରଞ୍ଜନର ଆତ୍ମହତ୍ୟା ଅନେକ ପ୍ରଶ୍ନ ଛାଡିଯାଇଛି । ପୂରା ସତ ଖୋଜିବାକୁ ଛାନବିନ ଜାରି ରଖିଛି ବେଙ୍ଗାଳୁରୁ ପୋଲିସ ।

Leave A Reply

Your email address will not be published.