Latest Odisha News

BREAKING NEWS

ହତ୍ୟା ଅଭିଯୋଗରେ ପୋଲିସ ହେପାଜତରେ କନ୍ନଡ ସିନେଷ୍ଟାର ଦର୍ଶନ ଓ ପବିତ୍ରା

ବେଙ୍ଗଲୁରୁ: ହତ୍ୟା ମାମଲାରେ ଫସିଲେ କର୍ଣ୍ଣାଟକର  ଜଣାଶୁଣା ସିନେଷ୍ଟାର ଦର୍ଶନ ଥୋଗୁଦୀପା । ଜଣେ ଫାର୍ମାସୀ ସହକାରୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆଧାରରେ ଦର୍ଶନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଏହାସହିତ ତାଙ୍କ ମହିଳା ବାନ୍ଧବୀ ଅଭିନେତ୍ରୀ ପବିତ୍ରା ଗୌଡାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଜୁନ୍ ୯ରେ ହୋଇଥିବା ଏକ ହତ୍ୟା ମାମଲାରେ ଦର୍ଶନ ଜଡିତ ଥିବା ନେଇ ଅଭିଯୋଗ ପରେ ଆଜି ସକାଳେ ପ୍ରଥମେ ମହିଶୂରର ଏକ ହୋଟେଲରୁ ଦର୍ଶନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଥିଲା ପୋଲିସ । ପରେ ତାଙ୍କ ବାନ୍ଧବୀ ଅଭିନେତ୍ରୀ ପବିତ୍ରା ଗୌଡଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ତେବେ ଜୁନ୍ ୯ରେ ରେଣୁକା ସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଡ୍ରେନରୁ ଉଦ୍ଧାର ପରେ ଆରମ୍ଭ ହୋଇଥିଲା ଏହି ମାମଲା । ପୋଲିସର ସୂଚନା ଅନୁଯାୟୀ, ମୃତକ ଜଣକ ଚିତ୍ରଦୁରଗା ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସର ଖୋଜା ଖୋଜିରେ  କାମାକ୍ସିପଲ୍ୟାର ଏକ ଡ୍ରେନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ ଜବତ କରିବା ବେଳେ ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିବାର ଚିହ୍ନ ରହିଥିଲା, ତେଣୁ ଏହାକୁ ହତ୍ୟାକାଣ୍ଡ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ତଦନ୍ତ ପରେ ହତ୍ୟା ମାମଲାରେ ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅନେକ ପଚରାଉଚରା ପରେ ଉକ୍ତ ଅଭିଯୁକ୍ତ ଜଣଙ୍କ ଅଭିନେତା ଦର୍ଶନଙ୍କ ନାଁ ନେଇଥିଲେ । ଆହୁରି ମଧ୍ୟ ତଦନ୍ତ ସମୟରେ ଜଣାପଡିଥିଲା ଯେ, ଉକ୍ତ ଅଭିଯୁକ୍ତଙ୍କ ସହ ଦର୍ଶନ ଲଗାତାର ଯୋଗାଯୋଗରେ ରହିଥିଲେ । ଯାହା ଆଧାରରେ ଦର୍ଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ତାଙ୍କ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ମଧ୍ୟ ଗିରଫ କରି ପଚରାଉଚରା ଜାରି ରଖିଛି ପୋଲିସ ।

କିଏ ଏହି ରେଣୁକା ସ୍ବାମୀ ?

ମୃତକ ରେଣୁକା ସ୍ବାମୀ ଚିତ୍ରଦୁର୍ଗର ଏକ ମେଡିକାଲ ଷ୍ଟୋରରେ ସହକାରୀ ଭାବରେ କାମ କରୁଥିବା ଜଣେ ସାଧାରଣ ବ୍ୟକ୍ତି । ନିକଟରେ ତାଙ୍କ ବିବାହ ହୋଇଥିଲା । କୁହାଯାଉଛି କି ରେଣୁକା ସ୍ବାମୀ, ଅଭିନେତ୍ରୀ ପବିତ୍ରା ଗୌଡାଙ୍କ ବିରୋଧରେ ଅନେକ ଅପମାନଜନକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.