Latest Odisha News

BREAKING NEWS

ବେଙ୍ଗାଲୁରୁ ଦଳାଚକଟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ

ବେଙ୍ଗାଲୁରୁ:ବେଙ୍ଗାଲୁରୁରେ IPL 2025 ବିଜୟର ଉତ୍ସବ ପାଳନ ବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୋଲିସର ଅବହେଳାକୁ ଦାୟୀ କରି ସରକାର ବେଙ୍ଗାଲୁରୁ ସିଟି ପୋଲିସ କମିଶନର, ସେଂଟ୍ରାଲ ଡିସିପି, ଏସିପି, ଚିନ୍ନାସ୍ଵାମୀ କ୍ରିକେଟ ଷ୍ଟାଡିୟମର ଭାରପ୍ରାପ୍ତ ଏସିପି, କ୍ୟୁବନ ପାର୍କ ଥାନା ଅଧିକାରୀ ଏବଂ ଷ୍ଟେସନ ହାଉସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

ତେବେ ଘଟଣାର ସିଆଇଡି ଦ୍ଵାରା ତଦନ୍ତ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି। ଏହା ସହିତ ଏକ ବିଚାର ବିଭାଗୀୟ ଆୟୋଗ ଗଠନ ହୋଇଛି। ଆୟୋଗ ୩୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ।

ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ପୂର୍ବରୁ, RCB, କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ DNA ଏଣ୍ଟରଟେନମେଣ୍ଟ ବିରୋଧରେ ଏକ FIR ରୁଜୁ କରାଯାଇଥିଲା। ବେଙ୍ଗାଲୁରୁର କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନରେ FIR ରୁଜୁ କରାଯାଇଥିଲା। FIRରେ ଅପରାଧିକ ଅବହେଳା ଅଭିଯୋଗ କରାଯାଇଛି।

କର୍ଣ୍ଣାଟକ ହାଇକୋର୍ଟ ଏହି ଘଟଣାର ସ୍ୱତଃ ତଦନ୍ତ କରି ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଥିଲେ। ଆଜି କୋର୍ଟରେ ଏହି ମାମଲାର ଶୁଣାଣି ମଧ୍ୟ ହୋଇଥିଲା। ସରକାର କୋର୍ଟକୁ କହିଥିଲେ ଯେ କେଉଁଠାରେ ତ୍ରୁଟି ଘଟିଛି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।

କୋର୍ଟ କହିଛନ୍ତି ଯେ, କାର୍ଯ୍ୟକ୍ରମରେ SOP ପାଳନ କରାଯାଇ ନଥିଲା। ସରକାର ଏହା ମଧ୍ୟ କହିଛନ୍ତି ଯେ ଷ୍ଟାଡିୟମରେ ମାଗଣା ପ୍ରବେଶ ଥିଲା, ତେଣୁ ଏକ ବଡ଼ ଭିଡ଼ ଜମା ହୋଇଥିଲା ଏବଂ ଦଳାଚକଟା ହୋଇଥିଲା। ସରକାର ସ୍ୱୀକାର କରିଛନ୍ତି ଯେ ଘଟଣା ସ୍ଥଳରେ ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ନଥିଲା। କୋର୍ଟରେ ଶୁଣାଣି ପରେ, ସରକାର ଆକ୍ସନ ନେଇଛନ୍ତି ।

 

Comments are closed.