Latest Odisha News

ସାଇବର ଠକେଇର ନୂଆ ପଦ୍ଧତି ଇ-ପ୍ୟାନ କାର୍ଡ, ସତର୍କ କଲେ ସରକାର

ନୂଆଦିଲ୍ଲୀ: ପ୍ୟାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଆୟକର ବିଭାଗ ଦ୍ଵାରା ଜାରି ହୋଇଥିବା ଏହି ଡକ୍ୟୁମେଣ୍ଟ ଅର୍ଥ ସହିତ ଜଡିତ ପ୍ରାୟ ସମସ୍ତ ଯୋଜନାରେ ବ୍ୟବହୃତ ହୁଏ । ସେଥିପାଇଁ ସାଇବର ଠକମାନେ ମଧ୍ୟ ଏହା ଉପରେ ନଜର ରଖିଥାନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ନୂତନ ଇ-ପ୍ୟାନ କାର୍ଡ ଲାଗୁ କରିଛନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି ସାଇବର ଠକ ମାନେ । ଇ-ପ୍ୟାନ କାର୍ଡ ଡାଉନଲୋଡ୍ କରିବାକୁ ଇମେଲ ମାଧ୍ୟମରେ ଲୋକଙ୍କୁ ମେସେଜ ପଠାଉଛନ୍ତି ଏହି ଠକମାନେ । ଆଉ ସେହି ଇମେଲ ଖୋଲି ଡାଉନଲୋଡ ଲିଙ୍କ ଉପରେ କ୍ଲିକ କରିବା ମାତ୍ରେ ଆପଣଙ୍କ ବ୍ୟାଙ୍କ ହୋଇଯାଉଛି ଖାଲି । ଯଦି ଆପଣ ମଧ୍ୟ ଏପରି ଇମେଲ୍ ପାଇଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ସାଇବର ଠକମାନେ ଇ-ପ୍ୟାନ୍ ଡାଉନଲୋଡ୍ କରିବାକୁ ଇମେଲ ପଠାଉଛନ୍ତି, ଯାହା ସମ୍ପୂର୍ଣ୍ଣ ଫେକ୍। ତେଣୁ ଏଥିପ୍ରତି ସଚେତନ ରୁହନ୍ତୁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

ଏକ ଫେକ୍ ଇମେଲର ସ୍କ୍ରିନସଟ ସେୟାର କରି କେନ୍ଦ୍ର ସରକାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବରେ ଫେକ ଅଟେ । ତେଣୁ ଏପରି ଇମେଲ ମିଳିଲେ ଏହାକୁ ଅଣଦେଖା କରନ୍ତୁ । ଆର୍ଥିକ ତଥା ସମ୍ବେଦନଶୀଳ ସୂଚନା ମାଗୁଥିବା ଏଭଳି କୌଣସି ଇମେଲ, ଫୋନ୍ କଲ, ଏସଏମଏସ ଏବଂ ଲିଙ୍କ ପ୍ରତି ସତର୍କ ରହିବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

କହିରଖୁଛୁ ଯେ, ସାଇବର ଠକମାନେ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଉଛନ୍ତି । ଏପରିକି ଅନେକ ଥର ସେମାନେ ନିଜକୁ ସରକାରୀ କର୍ମଚାରୀ ବୋଲି ମଧ୍ୟ ଦର୍ଶାଉଛନ୍ତି । ଏବଂ ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି ।

ଏପରି ଠକେଇରୁ କିପରି ରହିବେ ସୁରକ୍ଷିତ।

ଯଦି କେହି ଆପଣଙ୍କୁ ଆୟକର ବିଭାଗର ୱେବସାଇଟ ନାମରେ ଇମେଲ ପଠାଉଛନ୍ତି କିମ୍ବା ନିଜକୁ ଇନକମ ଟ୍ୟାକ୍ସ ଅଧିକାରୀ ବୋଲି କହୁଛନ୍ତି ତେବେ ଏହି ସତର୍କତା ଅନୁସରଣ କରନ୍ତୁ-

  • ସନ୍ଦେହଜନକ ଇମେଲଗୁଡିକର କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ ।
  • ଇମେଲରେ ଆସିଥିବା କୌଣସି ଫାଇଲକୁ ଖୋଲନ୍ତୁ ନାହିଁ ।
  • ସନ୍ଦେହଜନକ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ ଏବଂ ବ୍ୟାଙ୍କ ବିବରଣୀ ପରି କୌଣସି ସମ୍ବେଦନଶୀଳ ସୂଚନା ଦିଅନ୍ତୁ ନାହିଁ ।
  • ଏହିପରି ଠକ କାର୍ଯ୍ୟକଳାପକୁ ଏଡାଇବା ପାଇଁ, ଆପଣଙ୍କର ଡିଭାଇସକୁ ସବୁବେଳେ ଅପଡେଟ୍ ରଖନ୍ତୁ ।
  • ଠକେଇ ମାମଲାର ଶିକାର ହେଲେ ତୁରନ୍ତ ସାଇବର ପୋଲିସ ଏବଂ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟ ପୋର୍ଟାଲରେ ରିପୋର୍ଟ କରନ୍ତୁ।

Comments are closed.