ଭଦ୍ରକ: ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।
ଗତକାଲି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଥିଲେ । ଏହା ସହ ସନ୍ତୋଷଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ଏବଂ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ସେପଟେ, ଭଦ୍ରକ ଜିଲ୍ଲାର ୫ଟି ସ୍ଥାନରେ ଆଜି ସକାଳ ୬ଟାରୁ ଆସନ୍ତାକାଲି ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଭଦ୍ରକ ବ୍ଲକ ଓ ପୌରପାଳିକା, ତିହିଡି ବ୍ଲକ, ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିବ ।
ଗତ କିଛି ଦିନ ତଳେ ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସଂପ୍ରଦାୟଙ୍କ ଭିତରେ କିଛି କାରଣରୁ ଗଣ୍ଡଗୋଳ ଘଟିଥିଲା ଏବଂ ସେଥିରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକ ସନ୍ତୋଷ ପରିଡ଼ାଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ବର୍ତ୍ତମାନ ଆଲର୍ଟରେ ଅଛି ପ୍ରଶାସନ ।
Comments are closed.