Latest Odisha News

BREAKING NEWS

ଭାଇର ଦୀର୍ଘାୟୁ କାମନା କରି ଭାଇ ଜୀଉଁନ୍ତିଆ ଓଷା 

ସୁବର୍ଣ୍ଣପୁର : ଭାଇର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀ ମାନେ ପାଳନ କରିଥାନ୍ତି ଭାଇ ଜୀଉଁନ୍ତିଆ ଓଷା  । ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୁଜାପରେ ଦିନ ସାରା ନିର୍ଜଳା ଉପବାସ ରହି ଭଉଣୀ ମାନେ ସଂଧ୍ୟାରେ ଧୁପ ଦୀପ ନୈବେଦ୍ୟ ଚଢାଇ ପୁଜା କରିଥାନ୍ତି ଦେବୀ ଦୁର୍ଗାଙ୍କୁ । ସାତ ପ୍ରକାର ଫୁଲ ଫଳ ସହିତ ସାତୋଟି ଜୁଗାର ତିଆରି କରି ପୁଜା ସାମଗ୍ରୀ ନେଇ ଭାଇର ମଙ୍ଗଳ କାମନା କରିଥାନ୍ତି ଦେବୀ ଦୁର୍ଗାଙ୍କ ପାଖରେ । ପ୍ରତିଟି ଭାଇ ପାଇଁ ଶହେ ଆଠ ଦୁବ ଓ ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ଜୀଉଁନ୍ତିଆରେ ବାନ୍ଧି ସମର୍ପିତ କରିଥାନ୍ତି ଦେବୀଙ୍କ ପାଖରେ । ପରଦିନ ଭୋର ସକାଳେ ବନ୍ଧା ହୋଇଥିବା ଦୁବ ବିଡାକୁ ନେଇ ଭାଇ କୁ ବନ୍ଦାଇଥାନ୍ତି ଭାଇର ମଙ୍ଗଳ କାମନାକରି ।

ସୁବର୍ଣ୍ଣପୁରରେ ଦେବୀ କନକ ଦୁର୍ଗା ନିଜ ଦେବ ସ୍ୱରୂପ ଭାଇ ମହାବଳୀ ପାଇଁ ଏହି ଓଷା କରିବାର ପରମ୍ପରା ରହିଛି କାହିଁ କେତେ ଦିନରୁ । ସପ୍ତମୀ ତିଥିର ରାତ୍ର ପ୍ରହରରେ ରାଜ ପୁରୋହିତଙ୍କ ବାସଭବନରୁ ସମଲେଶ୍ୱରୀ ମନ୍ଦିରକୁ ବିଜେ କରିଥାନ୍ତି ଦେବୀ କନକ ଦୁର୍ଗା ।

ପରମ୍ପରା କ୍ରମେ ଦେବୀ ଦୁର୍ଗା, ଭୁବନେଶ୍ୱରୀ ଓ ମହାକାଳୀଙ୍କ ସହିତ ପୁଜା ପାଇଥାନ୍ତି ସମଲେଶ୍ୱରୀ ମନ୍ଦିରରେ । ପରେ ସପ୍ତମୀ ଦିନ ନିଶା ରାତ୍ରୀରେ ଏକ ଆଡମ୍ବର ପୁର୍ଣ୍ଣ ଶୋଭାଯାତ୍ରାରେ ରୂପା ବିମାନରେ ଭାଇ ଜୀଉଁନ୍ତିଆ ପାଇଁ ବିଜେ କରିଥାନ୍ତି ଖମ୍ବେଶ୍ୱରୀ ମନ୍ଦିରକୁ । ପରେ ଅଷ୍ଟମି ରାତିରେ ଭାଇ ଜୀଉଁନ୍ତିଆ ଓଷା ପାଳନ କରାଯାଇଥାଏ ଖମ୍ବେଶ୍ୱରୀ ମନ୍ଦିରରେ ।

କନକ ଦୁ୍‌ର୍ଗା ଭାଇ ଜୀଉଁନ୍ତିଆ ଓଷା ପାଳନ କରିବା ପରମ୍ପରା ଖୁବ ପ୍ରାଚୀନ । ତା ସହ ଭଉଣୀ ମାନେ ମା’ଙ୍କ ଆଶୀର୍ବାଦ ନେବା ସହିତ ପରିବାରର ମଙ୍ଗଳକାମନା କରିଥାନ୍ତି ।

Leave A Reply

Your email address will not be published.