ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରତ୍ୟେକ ଟ୍ରେନ୍ ରେ ବିନା ଟିକେଟରେ ଯାତ୍ରା କରିବା ଏକ ଅପରାଧ ହୋଇଥିବାବେଳେ, ଏପରି ଏକ ଟ୍ରେନ୍ ଅଛି ଯେଉଁଥିରେ ଆପଣ ମାଗଣାରେ ଯାତ୍ରା କରିପାରିବେ । ଗତ ୭୫ ବର୍ଷ ଧରି ଏହି ଟ୍ରେନ୍ ରେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରୁଛନ୍ତି ଲୋକେ । ହେଲେ କାହିଁକି? ଏହାକୁ କିଏ ଚଲାଉଛି ଏବଂ ଏହା କେତେଦିନ ପର୍ଯ୍ୟନ୍ତ ଏପରି ଚାଲିବ? ଏହି ଟ୍ରେନ୍ କେବଳ ଏକ ଯାତ୍ରା ନୁହେଁ ବରଂ ଇତିହାସର ଏକ ଐତିହ୍ୟ ଅଟେ । ଆସନ୍ତୁ ଜାଣିବା ଏହି ଟ୍ରେନ୍ର ସମ୍ପୂର୍ଣ୍ଣ କାହାଣୀ, ଯାହା ଆଜି ମଧ୍ୟ ଯାତ୍ରୀମାନଙ୍କୁ ବିନା ଟିକେଟରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯାଉଛି ।
ଏହି ଟ୍ରେନର ନାମ କଣ?
ଏହି ଟ୍ରେନ୍ ହେଉଛି ଭାକ୍ରା-ନାଙ୍ଗଲ୍ ଟ୍ରେନ୍, ଯାହା ଏହାର ଐତିହ୍ୟ ପାଇଁ ଜଣାଶୁଣା । ଏହି ଟ୍ରେନ୍ ୧୯୪୮ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାକ୍ରା ନାଙ୍ଗଲ ଡ୍ୟାମ୍ ନିର୍ମାଣରେ କାର୍ଯ୍ୟରତ ଶ୍ରମିକ ଏବଂ ନିର୍ମାଣ ସାମଗ୍ରୀ ପରିବହନ କରିବା । ଆଜି ମଧ୍ୟ ଏହି ଟ୍ରେନ୍ କୌଣସି ଭଡ଼ା ବିନା ଯାତ୍ରା ଜାରି ରଖିଛି ।
କେଉଁ ମାର୍ଗ ଦେଇ ଏହି ଟ୍ରେନ୍ ଯାତାୟତ କରେ?
ଭାକ୍ରା ନାଙ୍ଗଲ ଟ୍ରେନ୍ ପଞ୍ଜାବର ନାଙ୍ଗଲ ଏବଂ ହିମାଚଳ ପ୍ରଦେଶର ଭାକ୍ରା ମଧ୍ୟରେ ୧୩ କିଲୋମିଟର ଦୂରତା ଅତିକ୍ରମ କରେ । ଏହି ଯାତ୍ରା ବହୁତ ସ୍ୱତନ୍ତ୍ର କାରଣ ରାସ୍ତାରେ ଟ୍ରେନ୍ ସତଲେଜ୍ ନଦୀ ଏବଂ ଶିବାଲିକ୍ ପାହାଡ଼ର ସୁନ୍ଦର ଦୃଶ୍ୟ ଦେଇ ଗତି କରେ । ଏହି ରାସ୍ତାରେ ମୋଟ ଛଅଟି ଷ୍ଟେସନ ଏବଂ ତିନୋଟି ସୁଡ଼ଙ୍ଗ ଅଛି । ଏହି ଟ୍ରେନରେ ପ୍ରତିଦିନ ପ୍ରାୟ ୮୦୦ ଯାତ୍ରୀ ଯାତ୍ରା କରନ୍ତି, ଯେଉଁଥିରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ସାମିଲ ଅଛନ୍ତି । ଭାରତୀୟ ରେଳବାଇର ଅନ୍ୟ ଟ୍ରେନଗୁଡ଼ିକ ପରି ନୁହେଁ, ଏହି ଟ୍ରେନଟି ଭାକ୍ରା ବ୍ୟାସ ପରିଚାଳନା ବୋର୍ଡ (ବିବିଏମବି) ଦ୍ୱାରା ପରିଚାଳିତ । ଦେଶର ଶିଳ୍ପ ଇତିହାସର ଏହି ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ବୋର୍ଡ ପକ୍ଷରୁ ଏହି ଟ୍ରେନ୍ ମାଗଣାରେ ଚଲାଇବା ନିଷ୍ପତ୍ତି ନିଆଯାଇଛି ।
ଏହି ଟ୍ରେନର ଆଉ ଏକ ବିଶେଷତ୍ୱ ହେଉଛି ଯେ ପ୍ରାରମ୍ଭରେ ଏହା ଏକ ବାଷ୍ପ ଇଞ୍ଜିନ ଦ୍ୱାରା ଚାଲୁଥିଲା, କିନ୍ତୁ ୧୯୫୩ ମସିହାରେ ଏହାକୁ ଡିଜେଲ ଇଞ୍ଜିନରେ ପରିବର୍ତ୍ତନ କରାଯାଇଥିଲା । ବିଭାଜନ ପୂର୍ବରୁ କରାଚୀରେ ନିର୍ମିତ କାଠ କୋଚ୍ ହୋଇଥିବାରୁ ଟ୍ରେନର କୋଚ୍ ଗୁଡ଼ିକର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି । ଏହି ପୁରୁଣା କୋଚ୍ ଗୁଡ଼ିକ ଆଜି ମଧ୍ୟ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯାଉଛି, ଯାହା ଫଳରେ ଏହି ଟ୍ରେନ୍ ଯାତ୍ରୀମାନଙ୍କୁ ପୁରୁଣା ସମୟର କଥା ମନେ ପକାଇଥାଏ । ଯଦିଓ ଏହି ଟ୍ରେନକୁ ପ୍ରତି ଘଣ୍ଟାରେ ୧୮-୨୦ ଲିଟର ଇନ୍ଧନ ଆବଶ୍ୟକ, ତଥାପି ବିବିଏମବି ଏହାକୁ ବିନା ଭଡାରେ ଚଳାଇବାର ପରମ୍ପରା ବଜାୟ ରଖିଛି ।
Comments are closed.