Latest Odisha News

BREAKING NEWS

ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ଅଧିକାଂଶ ସ୍ଥାନରେ ଜୀବନଯାତ୍ରା ବ୍ୟାହତ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସାମାଜିକ ସୁରକ୍ଷା ଭଳି ସମସ୍ୟା ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଥିବା ବେଳେ ଏହି ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟକୁ କେତେକ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି ।

ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବାବେଳେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ବନ୍ଦର ପ୍ରଭାବ ପଡିବା ସହ ସକାଳୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । କିନ୍ତୁ ଆନ୍ଦୋଳନକାରୀମାନେ ଭୁବନେଶ୍ୱର ଷ୍ଟେସନ ତଥା ଅନ୍ୟ କେତେକ ଷ୍ଟେସନରେ ରେଳରୋକ କରିଥିବା ଯୋଗୁଁ ଯାତ୍ରୀମାନେ ସାଧାରଣରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭୁବନେଶ୍ୱର:

ରାଜଧାନୀରେ ଆଜି ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଟ୍ରେଡ୍ ୟୁନିୟନର କମୀଙ୍କ ସମେତ କଂଗ୍ରେସ ସମର୍ଥକମାନେ ଏହି ବନ୍ଦ ପାଳନ କରିଛନ୍ତି । ରାଜଧାନୀର ୧୬ ନଂ ଜାତୀୟ ରାଜପଥରେ ଥିବା ରସୁଲଗଡ଼, ବାଣୀବିହାର, ଜୟଦେବ ବିହାର ଏବଂ ସିଆରପି ଛକଠାରେ ଉଭୟ ଟ୍ରେଡ୍ ୟୁନିୟନ ଏବଂ କଂଗ୍ରେସକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ । ଜାତୀୟ ରାଜପଥ କଡ଼ରେ ଶହ ଶହ ସଂଖ୍ୟାରେ ଟ୍ରକ୍ ଓ ବସ୍ ଅଟକିରହିଥିବାର ଦେଖାଯାଇଥିଲା । ଭୁବନେଶ୍ୱରର ମୁଖ୍ୟ ବସଷ୍ଟାଣ୍ଡରେ ବସ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ଲାଗି ଯାତ୍ରୀମାନେ ଅଟକି ରହିଥିଲେ । ବରମୁଣ୍ଡା ବସଷ୍ଟାଣ୍ଡରେ ଶହଶହ ସଂଖ୍ୟାରେ ଯାତ୍ରୀମାନେ ଅଟକି ରହିଥିଲେ ।

ରାଜଧାନୀର ବ୍ୟସ୍ତବହୁଳ ଜନପଥ, ବାପୁଜୀନଗର, ଲୁଇସରୋଡ଼, କଟକ ରୋଡ଼, ସହିଦ ନଗର ଏବଂ ୟୁନିଟ୍ ୪ ଅଞ୍ଚଳରେ ଅଧିକାଂଶ ଦୋକାନ ଆଜି ସାରା ଦିନ ବନ୍ଦ ରହିଥିବା ଲକ୍ଷ୍ୟ କରାଯାଇଛି ।

କଟକ:

ରାଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ସହର କଟକରେ ଆଜି ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସହରର ଜନଗହଳିପୂର୍ଣ୍ଣ ବଜାର ଗୁଡ଼ିକରେ ଅଧିକାଂଶ ଦୋକାନ ବନ୍ଦ ରହିଥିବାର ଦେଖାଯାଇଛି ।

ସବୁଠାରୁ ବ୍ୟସ୍ତବହୁଳ ବାଦାମବାଡ଼ି ବସଷ୍ଟାଣ୍ଡରେ ଶହ ଶହ ସଂଖ୍ୟାରେ ବସ ଚଳାଚଳ ନକରି ଅଟକି ରହିଥିଲା । ଦିନସାରା ଅନେକ ସ୍ଥାନ ଜନଶୂନ୍ୟ ରହିଥିଲା ।

କଟକର ତୁଳସୀପୁର, ଛତ୍ରବଜାର, ରେଲୱେଷ୍ଟେସନ, ବକ୍ସିବଜାର, ରାଣୀହାଟ, ମଙ୍ଗଳାବାଗ ପରି ବ୍ୟସ୍ତବହୁଳ ସ୍ଥାନମାନଙ୍କରେ ଅନେକ ଦୋକାନ ବନ୍ଦ ରହିଛି ।

ବାଲେଶ୍ୱର:

ଆଜି ବାଲେଶ୍ୱରରେ ବନ୍ଦକୁ ସମର୍ଥନ କରି ଅନେକ ଦୋକାନ ବନ୍ଦ ରହିଥିବା ବେଳେ ବିକ୍ଷୋଭକାରୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବନ୍ଦ କରିବା ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ସହରରେ ଉତ୍ତେଜନାମୂଳକ ସ୍ଥାନଗୁଡ଼ିକରେ ପୋଲିସ ମୂତୟନ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଛନ୍ତି ।

ଅନୁଗୁଳ:

ଟ୍ରେଡ଼ ୟୁନିୟନର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ସ୍ଥାନମାନଙ୍କରେ ପିକେଟିଂ କରିଥିଲେ । ଆନେ୍ଦାଳନକାରୀମାନେ ନାଲକୋ, ଟିଟିପିସି ଏବଂ ଏନଟିପିସି ପ୍ଲାଣ୍ଟ ସମ୍ମୁଖରେ ଏକତ୍ରିତ ହୋଇ ଦରଦାମ ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜଗତସିଂହପୁର/ପାରାଦୀପ: 

ପାରାଦୀପ ବନ୍ଦରରେ ପଣ୍ୟ ପରିବହନରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଇଫକୋ, ଏଷାର, ପିପିଏଲ୍, ଆଇ ଓ ସି ଏଲ ପ୍ରଭୃତି ପାରାଦୀପର ସମସ୍ତ କାରଖାନାରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସ୍ବତଃପୂତ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ଯାଜପୁର: 

ଜିଲ୍ଲା ସଦର ମହକୁମା ଏବଂ ବ୍ୟାସନଗର ପୌରାଞ୍ଚଳ ସମେତ ଚଣ୍ଡିଖୋଲ, ବଡଚଣା, ପାଣିକୋଇଲି, କୁଆଖିଆ, ବରୀ, ବିଂଝାରପୁର, ଦଶରଥପୁର, କଳିଙ୍ଗନଗର ଓ ସୁକିନ୍ଦା ଖଣି ଅଞ୍ଚଳରେ ବିଭିନ୍ନ ଟ୍ରେଡ଼ ୟୁନିଅନ ପକ୍ଷରୁ ପିକେଟିଂ କରାଯାଇଛି ।

ସହର ମଧ୍ୟରେ ମଧ୍ୟ ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉଛି । ବନ୍ଦ ଯୋଗୁଁ ଜିଲ୍ଲାପାଳ ଆଜି ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ଘୋଷଣା କରିଛନ୍ତି ।

କୋରାପୁଟ:

କୋରାପୁଟରେ କଂଗ୍ରେସ କର୍ମୀଙ୍କ ସମେତ ଟ୍ରେଡ଼ ୟୁନିୟନ ସମର୍ଥକ ମାନେ ବନ୍ଦ ପାଳନ କରିଥିଲେ । ୨୬ ନମ୍ବର ଜାତୀୟ ରାଜପଥକୁ ଆନେ୍ଦାଳନକାରୀମାନେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଥିଲେ । ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଭଦ୍ରକ:

ଭଦ୍ରକରେ ଭାରତ ବନ୍ଦ ଯୋଗୁଁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ୧୬ ନମ୍ବର ଜାତୀୟ ରାଜପଥରେ ଶହଶହ ସଂଖ୍ୟାରେ ଟ୍ରକ୍ ଚଳାଚଳ କରିନପାରି ଅଟକି ରହିଥିଲା । ସହରର ଦୁଇଟି ମୁଖ୍ୟ ବସଷ୍ଟାଣ୍ଡରେ ବସ ଗୁଡ଼ିକ ବିଭିନ୍ନ ସ୍ଥାନକୁ ଯାଇନପାରି ଅଟକି ରହିଥିଲା । ଭଦ୍ରକର ବ୍ୟସ୍ତବହୁଳ କଚେରୀ, ଓଟିମାର୍କେଟ, ଚରମ୍ପା ଆଦି ସ୍ଥାନମାନଙ୍କରେ ଅଧିକାଂଶ ଦୋକାନ ଗୁଡ଼ିକ ବନ୍ଦ ରହିଥିଲା ।

ବନ୍ତଛକଠାରେ କଂଗ୍ରେସ କର୍ମୀ ଏବଂ ଟ୍ରେଡ଼ ୟୁନିୟନର କର୍ମୀମାନେ ଗାଡ଼ି ଚଳାଚଳକୁ ବନ୍ଦ କରିଥିଲେ ।

ବାରିପଦା:

ଟ୍ରେଡ଼ ୟୁନିୟନ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସାରା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ବାରିପଦା ସହରରେ ଅଧିକାଂଶ ଦୋକାନ ଗୁଡ଼ିକ ବନ୍ଦ ରହିଥିଲା । ଜିଲ୍ଲାର ୪୯ ନଂ ଜାତୀୟ ରାଜପଥର ଜଶିପୁର ଠାରେ ବିକ୍ଷୋଭକାରୀମାନେ ଯାନବାହନ ଚଳାଚଳ ବନ୍ଦ ରଖିଥିଲେ । ଏହାଫଳରେ ଯାନବାହନ ଗୁଡ଼ିକ ରାସ୍ତାକଡ଼ରେ ପଡ଼ି ରହିଥିଲା ।

ରାଉରକେଲା:

ରାଉରକେଲାରେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭକାରୀମାନେ ବନ୍ଦ ପାଳନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଥିବା ୨୬ ନଂ ଜାତୀୟ ରାଜପଥରେ ଯାନବାହନ ଚଳାଚଳକୁ ବନ୍ଦ କରିବା ଫଳରେ ଅନେକ ଟ୍ରକ୍ ଗୁଡ଼ିକ ଗନ୍ତବ୍ୟସ୍ଥଳକୁ ଯାଇ ନପାରି ରାସ୍ତା କଡ଼ରେ ଅଟକି ରହିଥିଲା ।

କେନ୍ଦ୍ରାପଡ଼ା:

ବରିÂ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆନେ୍ଦାଳନକାରୀମାନେ ଦରବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତିନିମୁହାଣୀ ଛକଠାରେ କଂଗ୍ରେସକର୍ମୀମାନେ ରାସ୍ତାରୋକୋ କରି ଯାନବାହନ ଚଳାଚଳ ବନ୍ଦ କରିଥିଲେ ।

 

Leave A Reply

Your email address will not be published.