ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଇଣ୍ଡିଆ ନୁହେଁ, ଭାରତ ନାଁରେ ପରିଚିତ ହେଲା ଦେଶ । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଲେଖାଗଲା ଭାରତ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ ।
ଇଣ୍ଡିଆ ବନାମ ଭାରତକୁ ନେଇ ଶାସକ-ବିରୋଧୀ ମଧ୍ୟରେ ତୁତୁ-ମେମେ ଲାଗିଥିବାବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମୋଦି ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀର ଆଜି ପ୍ରଥମ ଦିନ । ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଥିଲେ । ତାଙ୍କ ଟେବୁଲରେ ରଖା ଯାଇଥିବା କଣ୍ଟ୍ରି ପ୍ଲେଟରେ ଦେଶର ନାମ ଇଣ୍ଡିଆ ବଦଳରେ ଲେଖା ଯାଇଥିଲା ଭାରତ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁସବୁ ଅନ୍ତର୍ଜାତୀୟ ମଞ୍ଚକୁ ସମ୍ବୋଧନ କରିଛନ୍ତି ସେଠାରେ କଣ୍ଟ୍ରିପ୍ଲେଟ ଉପରେ ଇଣ୍ଡିଆ ଲେଖା ଯାଇଥାଏ । ହେଲେ ପ୍ରଥମ ଥର ପାଇଁ ଆଜି ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ।
ତେବେ ଏହି ନାମକରଣକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୫ ତାରିଖରୁ ଯେତେବେଳେ ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଥିଲା । ଏହି ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ସରକାର ଦେଶର ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ବିପକ୍ଷ ନାରା ଲଗାଇଥିଲେ । ଏପରିକି କେନ୍ଦ୍ର ସରକାର ଏହି ପରିବର୍ତ୍ତନ ଆଣିବା ପାଇଁ ସଂସଦର ବିଶେଷ ଅଧିବେଶନ ଡକାଇଛନ୍ତି ବୋଲି ବିରୋଧୀ କହୁଥିଲେ ।
ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହାର ଏଜେଣ୍ଡାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ତେବେ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଦେଶର ନାମ ପରିବର୍ତ୍ତନକୁ ନେଇ ହୋଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ କହିଥିଲେ କହିଛନ୍ତି ଦେଶର ନାମ ପରିବର୍ତ୍ତନ ହେବା ଖବର ଗୁଜବ। ଯିଏ ଭାରତ ଶବ୍ଦକୁ ବିରୋଧ କରୁଛନ୍ତି ସେମାନଙ୍କର ମାନସିକତାକୁ ସ୍ପଷ୍ଟ ଭାବରେ ଦର୍ଶାଏ ଯେ ସେମାନେ ଦେଶକୁ କେତେ ଭଲ ପାଆନ୍ତି। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ର ଉପରେ ସେ କହିଛନ୍ତି ଯେ, ସେ ଭାରତର ରାଷ୍ଟ୍ରପତି, ତେଣୁ ଏହି ପତ୍ରରେ ଭାରତର ରାଷ୍ଟ୍ରପତି ଲେଖାଯାଇଛି। ଏଥିରେ କଣ ଅସବୁଧା ରହିଛି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ।
Comments are closed.