Latest Odisha News

୨୧ରେ ନିର୍ବାଚନ ପାଇଁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଆରମ୍ଭ ହେବ ଭାରତ ଯୋଡ ଯାତ୍ରା ପାର୍ଟ ଟୁ?

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆସନ୍ତା ୨୧ ତାରିଖରେ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ ସ୍ଥିର ହୋଇଛି। ଇଣ୍ଡିଆ ମେଣ୍ଟର ବୈଠକ ବସିବାର ଦୁଇ ଦିନ ପରେ ହେବାକୁ ଥିବା ଏହି ବୈଠକରେ ବିଜେପିକୁ ମୁକାବିଲା କରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ସହ ଦଳର ନିର୍ବାଚନ ପ୍ରଚାରକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଉପରେ ଆଲୋଚନା କରିବା ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକ ଡାକିଛନ୍ତି। ଏଜେଣ୍ଡାରେ ଆସନ ବୁଝାମଣା, ପ୍ରଚାର ରଣନୀତି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ସଭାର ସମ୍ଭାବନା ରହିଛି।

ସୂତ୍ରରୁ ପ୍ରକାଶ ଯେ ଦଳ ହାଇବ୍ରିଡ୍ ମୋଡରେ ପୂର୍ବ-ପଶ୍ଚିମ ଯାତ୍ରା କରିବାକୁ ବିଚାର କରୁଛି, ଯେଉଁଥିରେ ପଦଯାତ୍ରା ଉପରେ ଗୁରୁତ୍ବ ଦିଆଯାଉଛି। ଖୁବଶୀଘ୍ର ଏହି ଯାତ୍ରା ନେଇ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। କହି ରଖୁଛୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଦଳକୁ ପୂର୍ବ ତୁଳନାରେ ଅଧିକ ସକ୍ରିୟ ରହିଛି। ଯାହାର ପରିଣାମ ଦଳ କର୍ଣ୍ଣାଟକରେ ନିର୍ବାଚନ ଜିତିଥିଲା ବୋଲି କୁହାଯାଉଛି।

ଏହି ବୈଠକରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ପରାଜୟ, ତେଲେଙ୍ଗାନାରେ ବିଜୟ ଏବଂ ମିଜୋରାମରେ ପରାଜୟ ସହିତ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳର ବିଶ୍ଳେଷଣ କରାଯିବ।

ବିଜେପିର ଏଜେଣ୍ଡାକୁ କାଉଣ୍ଟର କରିବା ପାଇଁ କଂଗ୍ରେସ ବିକଳ୍ପ ସକରାତ୍ମକ ଏଜେଣ୍ଡା ବିକଶିତ କରିବା ପାଇଁ ଉଦ୍ୟମ ଚଳାଇଛି। ୨୦୨୪ରେ ଭାରତୀୟ ଜନତା ପାର୍ଟିକୁ ମୁକାବିଲା କରିବା ପାଇଁ ଭିନ୍ନ ଚିନ୍ତାଧାରା ଆବଶ୍ୟକ ହେବ ବୋଲି ଦଳ ବିଶ୍ୱାସ କରୁଛି।

କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ପୂର୍ବରୁ ଆସନ୍ତା ୧୯ ତାରିଖରେ ଇଣ୍ଡିଆ ମେଣ୍ଟର ନେତାଙ୍କ ଚତୁର୍ଥ ବୈଠକ ବସିବ। ଏହି ବୈଠକରେ ଯେଉଁ ପ୍ରମୁଖ ପ୍ରସଙ୍ଗର ସମାଧାନ କରାଯିବ ସେଗୁଡ଼ିକ ମଧ୍ୟରେ ରହିଛି “ମୁଖ୍ୟ ସକରାତ୍ମକ ଏଜେଣ୍ଡା”, ଆସନ ଭାଗବଣ୍ଟା ବ୍ୟବସ୍ଥା ଏବଂ ମିଳିତ ରାଲି ପାଇଁ ଯୋଜନା ପ୍ରସ୍ତୁତ କରିବା।

ବିରୋଧୀ ଦଳ ଇଣ୍ଡିଆ ମେଣ୍ଟର ଲକ୍ଷ୍ୟ ହେଉଛି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କାଉଣ୍ଟର କରିବା ପାଇଁ “ମୁଁ ନୁହେଁ, ଆମେ” ନାରା ଉପରେ ଗୁରୁତ୍ୱାରୋପ କରିବା।

ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା କଂଗ୍ରେସ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି। ଦଳ ନିଜର ସ୍ଥିତିକୁ ମଜଭୁତ କରିବା ସହ ଶାସକ ଦଳ ପାଇଁ ଏକ ଦୁର୍ଦ୍ଦାନ୍ତ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବାକୁ ଦୃଢ଼ ସଙ୍କଳ୍ପ ନେଇଛି।

Comments are closed.