ଭୁବନେଶ୍ୱର: ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ଆଜି ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଶଣ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା ।
ଏଥିସହ ଜୟଦେବଙ୍କ “ଗୀତଗୋବିନ୍ଦ” ଉପରେ ଆଧାରିତ ହେମାଙ୍କ ନୃତ୍ୟ ଆଜିର ସନ୍ଧ୍ୟାର ବିଶେଷ ଆକର୍ଷଣ ରହିଥିଲା ।
ତେବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ଏହି ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ନୃତ୍ୟଶିଳ୍ପୀ ହେମା ମାଳିନୀ, ବିଶିଷ୍ଟ ସଂଗୀତଜ୍ଞ ହରିପ୍ରସାଦ ଚୌରସିଆ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।
ପୁରୀ ସାଂସଦ ସମ୍ବିତ ପାତ୍ର ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ହେମାମାଳିନୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ନୃତ୍ୟଶିଳ୍ପୀ ହେମାମାଳିନୀ ରଙ୍ଗର ପର୍ବ ହୋଲି ଉପଲକ୍ଷେ ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କ ସହ ରଙ୍ଗ ଖେଳିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।