Latest Odisha News

BREAKING NEWS

ଭାରି ଗରମ : ଜାରି ରହିବ ୩୦ ଯାଏଁ

ଭୁବନେଶ୍ୱର: ଫନି ଯିବା ପରଠାରୁ ବଢ଼ିଚାଲିଛି ପାରଦ । ଟକମକ ହୋଇ ଫୁଟୁଛି ଓଡ଼ିଶା । ଖରା ଓ ଗରମ ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ନାକେଦମ୍‍ କଲାଣି । ତଥାପି ଆଗାମୀ ୩୦ ତାରିଖ ଯାଏଁ ନିସ୍ତାର ନାହିଁ । ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସହରର ତାପମାତ୍ରା ୪୭ ଡିଗ୍ରୀ ଟପିଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ ଲଗାଇଛି । କେବଳ ପଶ୍ଚିମ ଓ କେନ୍ଦ୍ର ନୁହେଁ, ଉପକୂଳ ଓଡ଼ିଶା ମଧ୍ୟ ଅସ୍ତବ୍ୟସ୍ତ ହେବ । ପ୍ରଚଣ୍ଡ ତାତି ସାଙ୍ଗକୁ ଆର୍ଦ୍ର ଝାଞ୍ଜି ଜନଜୀବନକୁ ଘାଇଲା କରିବ । ୪୦ ଡିଗ୍ରୀର ଗରମ ବି ପ୍ରବଳ ଗୁଳୁଗୁଳି ଯୋଗୁଁ ୫୦ ଡିଗ୍ରୀ ଭଳି ମନେହେବ ।

ଏଭଳି ପରିସ୍ଥିତିରେ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛି । ଆସନ୍ତା ଦୁଇ ଦିନ ପାଇଁ ୧୦ଟି ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ (ହିଟ୍‍ ୱେଭ୍‍) ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା- ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, କଳାହାଣ୍ଡି ଓ ଝାରସୁଗୁଡ଼ା । ଏହି ଜିଲ୍ଲାଗୁଡ଼ିକର ଲୋକମାନେ ଅଂଶୁଘାତରେ ଯେପରି ଆକ୍ରାନ୍ତ ନହୁଅନ୍ତି, ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି ।

ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ବିଷ୍ଣୁପଦ ସେଠୀ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଜିଲ୍ଲାପାଳମାନଙ୍କୁ ଏକାଧିକ ସ୍ଥାନରେ ଜଳଛତ୍ର ସହ ଛାୟା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି । ଶ୍ରମିକମାନଙ୍କ କାମ କରିବାର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି । କାର୍ଯ୍ୟସ୍ଥଳୀରେ ପ୍ରଚୁର ପାନୀୟଜଳ ବ୍ୟବସ୍ଥା ସହ ଫ୍ୟାନ୍‍ ବ୍ୟବହାର, ଖରା ସମୟରେ ଘର ଭିତରେ ରହିବା, ଥଣ୍ଡା ପାଣିରେ ଗାଧୋଇବା, ଦୁର୍ବଳ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା, ମଧ୍ୟାହ୍ନ ୧୨ଟାରୁ ୩ଟାଯାଏଁ ପଦାକୁ ନବହାରିବା, ମାଦକ ଦ୍ରବ୍ୟ ସେବନ ନକରିବା ଏବଂ ବିଶେଷ କରି ପିଲାମାନଙ୍କ ପ୍ରତି ଅଧିକ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁମାନ ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ । ତେବେ ବାୟୁର ଆର୍ଦ୍ରତା ବଢ଼ିବା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ୨୫ ତାରିଖଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ । ୨୬ରେ ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀ ମଧ୍ୟ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ତେବେ ୨୬-୨୭ ବେଳକୁ କାଳବୈଶାଖୀ ହୋଇପାରେ । ଏହାପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ । ତେବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୦ ଯାଏଁ ବୃଦ୍ଧି ପାଇ ଚାଲିବ ଓ ସର୍ବୋଚ୍ଚ ତାପାମାତ୍ରା ୪୭ ଡିଗ୍ରୀକୁ ଛୁଇଁବାର ଆଶଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.