ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଅଗଷ୍ଟ ୧ରୁ ଖୋଲିବ ଭିତରକନିକା, ମ୍ୟାନ୍ଗ୍ରୁଭ୍ ନର୍ସରୀ ସାଙ୍ଗକୁ ମ୍ୟୁଜିୟମ୍ର ନେବେ ମଜା
କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍ଗ୍ରୁଭ୍ ନର୍ସରୀରେ ଦେଖିବାର ସୁଯୋଗ ପାଇବେ।
ଏଥିସହ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ସହ ଅନ୍ୟ ବହି ପଢ଼ିବାର ସୁଯୋଗ ପାଇପାରିବେ। ଏହାଛଡ଼ା ମ୍ୟୁଜିୟମ୍ର ମଜା ନେବା ସହ ଧଳା କୁମ୍ଭୀର ଗୋରୀ ଓ ମଲ୍ଲୀ, ଶ୍ୱେତାକୁ ଦେଖିପାରିବେ। ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିଛି। ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଥିଲା।
ଭିତରକନିକାର ଡାଙ୍ଗମାଳଠାରେ ୬ଟି ଫାଇବର ବୋଟ୍ ଥିବା ବେଳେ ଗୁପ୍ତିଠାରେ ୪ଟି ଫାଇବର ବୋଟ୍ ବ୍ୟବସ୍ଥା ରହିଛି । ପୂର୍ବବର୍ଷ ଭଳି ପଲିଥିନ୍କୁ ବାରଣ କରାଯିବା ସହ ଏହା ନଆଣିବା ପାଇଁ ବନଖଣ୍ଡ ପକ୍ଷରୁ ନିଷେଧ କରାଯାଇଛି। ଭିତରକନିକା ଫରେଷ୍ଟ ବ୍ଲକ୍ରେ ପର୍ଯ୍ୟଟକଙ୍କ ପାଇଁ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ମେଟା ନର୍ସରୀ ନିକଟରୁ ୬ଶହ ମିଟର ପର୍ଯ୍ୟନ୍ତ କାଠରେ ସ୍କାଏ ୱାକ୍ ନିର୍ମାଣ ହୋଇଛି। । ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ଧଳା କୁମ୍ଭୀର ଗୋରୀ, ମଲ୍ଲୀ,ଶ୍ଵେତା , ଦେଶୀୟ ପକ୍ଷୀ, ନଦୀରେ ନୈାବିହାର ଓ ସ୍କାଏ ଓ୍ଵାକ୍ ରେ ଜଙ୍ଗଲ ଉପରେ ଚାଲିଚାଲି ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।
Comments are closed.