କେନ୍ଦ୍ରାପଡା: ଜାନୁଆରୀ ୧୪ ତାରିଖରୁ ଭିତରକନିକାରେ ଆରମ୍ଭ ହେବ କୁମ୍ଭୀର ଗଣନା । ଜାନୁଆରୀ ୧୪ ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ । ସେଥିପାଇଁ ୯ଦିନ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଅନ୍ତର୍ଗତ ୪ଟି ରେଞ୍ଜ ରାଜନଗର, ଗହିରମଥା, କନିକା, ମହାକାଳପଡ଼ାରେ କୁମ୍ଭୀର ଗଣାଯିବ।
ରାଜନଗର ବନଖଣ୍ଡର ୪ଟି ରେଞ୍ଜ ରେ କୁମ୍ଭୀର ଗଣନା କରାଯିବ । ଗଣନା ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ । ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ। ଶୀତ ଅଧିକ ହେଲେ ଛୋଟରୁ ବଡ ପର୍ଯ୍ୟନ୍ତ ସବୁ କୁମ୍ଭୀର ନଦୀପଠାରେ ଖରା ଖାଇବାକୁ ପଡ଼ି ରହିଥାନ୍ତି। ଭିତରକନିକାର ନଦୀନାଳ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ଆସୁ ନଥିବାରୁ ନଦୀପଠା ବୁଡି ନ ଥାଏ। ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବାକୁ ସୁବିଧା ହୋଇଥାଏ
କୁମ୍ଭୀର ଗଣନା ଆରମ୍ଭ ହେବାର ୨ ଦିନ ପୂର୍ବରୁ ଭିତରକନିକାରେ ବୋଟ ଚଳାଚଳ ବନ୍ଦ ରଖାଯିବ। କୁମ୍ଭୀର ଗଣନା କାମରେ ବନବିଭାଗ ଟିମ୍ ଏବଂ ବିଶେଷଜ୍ଞ ଦଳ ସାମିଲ ହେବେ। ୧୯୭୫ ମସିହାରେ ଭିତରକନିକାର ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଭାରତର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ର ଗଠନ ହୋଇଥିଲା। କୁମ୍ଭୀରଙ୍କ ବଂଶବୃଦ୍ଧି ଓ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ପାଇଁ ଏହା ଗଠନ କରାଯାଇଥିଲା। ଆରମ୍ଭରେ ଭିତରକନିକାରେ ୯୬ଟି କୁମ୍ଭୀର ଥିବାବେଳେ ୨୦୨୩ର ଗଣନା ଅନୁସାରେ ବର୍ତ୍ତମାନ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୭୯୩ରେ ପହଞ୍ଚିଛି।