Latest Odisha News

BREAKING NEWS

ଝାରସୁଗୁଡା: ଟଙ୍କଧରଙ୍କ ପାଇଁ ପ୍ରଚାର କଲେ ଭୋଜପୁରୀ ଅଭିନେତା

ଝାରସୁଗୁଡା: ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ମନୋଜ ତିଓ୍ୱାରୀ ଝାରସୁଗୁଡା ଆସି ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏକ ସୁରକ୍ଷିତ, ସୁସ୍ଥ, ଶିକ୍ଷିତ, ସମୃଦ୍ଧ ଝାରସୁଗୁଡା ଗଢି ତୋଳିବା ପାଇଁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି ବିଜେପି ସାଂସଦ ତଥା ପ୍ରସିଦ୍ଧ ଭୋଜପୁରୀ ଚଳଚିତ୍ର ଅଭିନେତା ମନୋଜ ତିଓ୍ୱାରୀ।

ଦିନିକିଆ ଝାରସୁଗୁଡା ଗସ୍ତରେ ଆସିଥିବା ମନୋଜ ତିଓ୍ୱାରୀ ଶୋଭାଯାତ୍ରାରେ ଯୋଗ ଦେଇ କହିଛନ୍ତି ଯେ, ମୋର ଓଡିଶା ସହ ବହୁ ଘନିଷ୍ଠ ସଂପର୍କ ରହିଛି । ରାଜ୍ୟର ସବୁଠୁ ବିତଶୀଳ ଜିଲ୍ଲା ହେଉଛି ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲା । ରାଜ୍ୟ ଅର୍ଥନୀତିରେ ଜିଲ୍ଲାର ପ୍ରମୁଖ ଭୁମିକା ରହିଛି । ଝାରସୁଗୁଡା ସମେତ ଓଡିଶାର ସାମଗ୍ରିକ ବିକାଶ ପାଇଁ ବିଜେପି ସଂକଳ୍ପବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟଧାରାରେ ସାମିଲ ହୁଅନ୍ତୁ ଝାରସୁଗୁଡାବାସୀ। ଆଗାମୀ ଦିନରେ ଜିଲ୍ଲାର ଆଶା ଓ ଭରସାଯୋଗ୍ୟ ହେବେ ଆମର ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବୋଲି ପ୍ରଚାର ଅବସରରେ ଆସି ଦୃଢତାର ସହ କହିଛନ୍ତି ଏହି ଭୋଜପୁରୀ ଅଭିନେତା।

ଅପରାହ୍ନରେ ବିଟିଏମ ଛକରୁ ବିଜେପି ସାଂସଦ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସହ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ଭୋଟ ପ୍ରଚାର କରିଥିଲେ। ଶହ ଶହ ସଂଖ୍ୟାରେ ହଜାର ହଜାର ଯୁବ କାର୍ଯ୍ୟକର୍ତାମାନେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ।

ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ସକାଳେ ଝାରସୁଗୁଡା ସହର ଅନ୍ତର୍ଗତ ୨୩ ନମ୍ବର ଓ୍ୱାର୍ଡର ରେଲେଓ୍ୱେ କଲୋନୀରେ ପଦଯାତ୍ରାରେ ଯାଇ ଘରକୁ ଘରକୁ ବୁଲି ଭୋଟ ପ୍ରଚାର କରିଥିଲେ। ଏହା ପରେ ଅପରାହ୍ନରେ ଟଙ୍କଧର ତ୍ରିପାଠୀ କିର୍ମିରା ବ୍ଲକର ବିଭିନ୍ନ ଅଂଚଳରେ ଘରକୁ ଘରକୁ ଯାଇ ଭୋଟ ପ୍ରଚାର କରିଥିଲେ ।

Comments are closed.