Latest Odisha News

ହାଥରସ ଦଳାଚକଟା ଘଟଣା, ସାମ୍ନାକୁ ଆସିଲା ଭୋଲେ ବାବାଙ୍କ ବୟାନ

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣାର ୭୨ ଘଣ୍ଟା ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ୬ଜଣ ବ୍ୟକ୍ତି ଉକ୍ତ ସତସଙ୍ଗର ଆୟୋଜକ ବୋଲି ଜଣାପଡିଛି। ସେପଟେ ଭୋଲେ ବାବାଙ୍କ ପତ୍ତା ମିଳୁନଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି ବାବାଙ୍କ ପ୍ରଥମ ବୟାନ ।  ଏନେଇ ଖବରସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତ ଦେଇ ବାବା ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

ଏନେଇ ସୁରଜପାଲ ଓରଫ ଭୋଲେ ବାବା କହିଛନ୍ତି, ଜୁଲାଇ ୨ରେ ଘଟିଥିବା ଘଟଣା ପରେ ମୁଁ ଅତ୍ୟନ୍ତ ବ୍ୟଥିତ ଅଛି । ଭଗବାନ୍ ଆମକୁ ଶକ୍ତି ଦିଅନ୍ତୁ ଏହି ସମୟ ସହ ମୁକାବିଲା କରିବା ପାଇଁ । ସେ ଆହୁରି ମଧ୍ୟ କହିଛନ୍ତି ଆମର ପୂରା ବିଶ୍ବାସ ସରକାର ଓ ତାଙ୍କର ପ୍ରଶାସନ ଉପରେ ରହିଛି । ଏହି ସ୍ଥିତିରେ ଉତ୍ତେଜନା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ କେବେବି କ୍ଷମା ମିଳିବ ନାହିଁ । ଏହାସହିତ ତାଙ୍କର ଓକିଲ ଏପି ସିଂହଙ୍କ ମାଧ୍ୟମରେ ତାଙ୍କର ସମସ୍ତ ସଦସ୍ୟଙ୍କୁ ମୃତ ଓ ଆହତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ସାହାର୍ଯ୍ୟ ଯୋଗାଇଦେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।

ତେବେ କହିରଖୁଛୁ, ଉତ୍ତରପ୍ରଦେଶର ହାଥରସ ସହରରେ ସିକନ୍ଦରାରାଉ ଥାନାର ଫୁଲରଇରେ ଜୁଲାଇ ୨ରେ ଆୟୋଜିତ ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ଏହି ଘଟଣା ପରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ପୋଲିସ।  ତେବେ ସଂପୃକ୍ତ ଅଞ୍ଚଳରେ ଆଶ୍ରମ ଚଳାଉଥିବା ‘ଭୋଲେ ବାବା’ କିନ୍ତୁ ଘଟଣା ପରେ ଫେରାର ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାଙ୍କୁୂ ଧରାିବା ପାଇଁ ଉତ୍ତରପ୍ରଦେଶ ପୋଲିସ ୧ ଲକ୍ଷ ଯଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ହେଲେ ଏବେ ଆତ୍ମଘୋଷିତ ବାବା ନିଜେ ସାମ୍ନାକୁ ଆସି ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

Comments are closed.