Latest Odisha News

BREAKING NEWS

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଚଳାଚଳ ସେପ୍ଟେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସିର ଖବର । ଭୁବନେଶ୍ୱରରୁ ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଛି । ଏହି ବିମାନ ଚଳାଚଳ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ବିମାନର ଉଡ଼ାଣ ସମ୍ପର୍କରେ ସମୟ ନିର୍ଘଣ୍ଟ ସୂଚୀ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି ।

“ଇଣ୍ଡିଗୋ ବିମାନ ସେବା ଦ୍ୱାରା ସପ୍ତାହରେ କିଛିଦିନ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ବିମାନ ଚଳାଚଳ କରିବ । ଆମେ ମଧ୍ୟ ଭୁବନେଶ୍ୱର-ପୁନେ ମଧ୍ୟରେ ସିଧାସଳଖ ବିମାନ ସେବା ଲାଗି ଇଣ୍ଡିଗୋ ଏବଂ ଏୟାର ଏସିଆ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛୁ । ଏହି ରୁଟରେ ବିମାନ ସେବା ଚଳାଚଳ ଲାଗି ମଧ୍ୟ ଯାତ୍ରୀମାନେ ଆବଶ୍ୟକ କରୁଛନ୍ତି,”ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ।

ଏହି ବିମାନ ସେବା ସପ୍ତାହର ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଉପଲବ୍ଧ ହେବ ।

ସୂତ୍ରରୁ ପ୍ରକାଶ, ଏହି ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଦିନ ୧୧:୩୦ରେ ଛାଡ଼ିବ । ଅହମ୍ମଦାବାଦରେ ଦିନ ୨:୧୦ରେ ପହଞ୍ଚିବ । ସେପଟେ ଅହମ୍ମଦାବାଦରୁ ଉଡ଼ାଣ ସକାଳ ୮:୫୫ରେ ହେବ । ଏପଟେ ଭୁବନେଶ୍ୱରେ ବିମାନ ଦିନ ୧୧:୨୦ରେ ପହଞ୍ଚିବ ।

ଆସନ୍ତା ଶୀତଦିନରେ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଚଳାଚଳ ବୃଦ୍ଧି ପାଇବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ଜଣାଇଛନ୍ତି । ତେବେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ଚଳାଚଳ ୪୨ରୁ ୬୮କୁ ବୃଦ୍ଧି ପାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଆଗାମୀ ଦିନରେ ଭୁବନେଶ୍ୱର-କୋଏମ୍ବାଟୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ହେବାର ଯୋଜନା ରହିଛି ।

ଏହାଛଡ଼ା, ନୂଆ ବିମାନ ଭୁବନେଶ୍ୱରରୁ ରାୟପୁର, ରାଉରକେଲା ଓ ଝାରସୁଗୁଡ଼ା ମଧ୍ୟରେ ଉଡ଼ାଣ ଯୋଜନା ଅନୁସାରେ ଆରମ୍ଭ ହେବାକୁ ଯାଉଛି । ତେବେ ଭୁବନେଶ୍ୱରରୁ ୧୨ଟି ବିମାନ ଦିଲ୍ଲୀ, କୋଲକାତାକୁ ୧୭ଟି, ବେଙ୍ଗାଲୁରୁ କୁ ୧୫ଟି ବିମାନ, ହାଇଦ୍ରାବାଦ, ମୁମ୍ବାଇ ଓ ଚେନ୍ନାଇକୁ ୫ଟି ସହିତ ଅହମ୍ମଦାବାଦ ଓ ରାୟପୁରକୁ ୨ଟି ବିମାନ ଚଳାଚଳ କରିବ । ତେବେ ଶୀନଋତୁରେ ଏହି ବିମାନ ଗୁଡ଼ିକ ବିଶାଖାପାଟଣା, କୋଇମ୍ବାଟୁର, ଝାରସୁଗୁଡ଼ା, ରାଉରକେଲା ଓ କୁଆଲାଲାମ୍ପୁର ମଧ୍ୟରେ ଉଡ଼ାଣ କରିବା ଯୋଜନା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଭାରତର କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ବିମାନ ଚଳାଚଳ ଯୋଜନା ଅନୁସାରେ ଭାରତ ମଧ୍ୟରେ ସାଧାରଣ ଲୋକମାନଙ୍କ ଲାଗି ସୁଲଭମୂଲ୍ୟର ଶୁଳ୍ପ ଦ୍ୱାରା ବିମାନ ସୁବିଧା ଯୋଗାଇ ଦେବାର ଯୋଜନା କାର୍ଯ୍ୟକାରୀ କରୁଛି । ଭାରତ ମଧ୍ୟରେ ତଥା ଆଞ୍ଚଳିକ ସ୍ତରରେ ବିମାନ ଚଳାଚଳ ସୁବିଧା କିପରି ସମସ୍ତେ ପାଇପାରିବେ ତାହା ନେଇ ଏହି ଯୋଜନା କାର୍ଯ୍ୟ କରୁଛି ।

Leave A Reply

Your email address will not be published.