Latest Odisha News

BREAKING NEWS

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତାପ୍ରକଟ କରିଛନ୍ତି । ମୋଦୀ ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବାପରେ ରବିବାର ଦିନ ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଜଳ ସଙ୍କଟକୁ ନେଇ ଜଣେ ଭୁବନେଶ୍ୱରବାସିନ୍ଦାଙ୍କ ଚିଠିର ମଧ୍ୟ ଉତ୍ତର ରଖିଛନ୍ତି ।

‘ମନ୍ କି ବାତ୍’ ର ମୁଖ୍ୟାଂଶ:

– ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଦୀ ଦେଶବାସୀଙ୍କୁ କହିଛନ୍ତି, ମୁଁ ଯେତେବେଳେ ‘ମନ କି ବାତ୍’ ମାଧ୍ୟମରେ କହେ, ସେହି ସମୟରେ ଅବଶ୍ୟ ଶବ୍ଦ ମୋର, ସ୍ୱର ମୋର ମାତ୍ର ପୁରୁଷାର୍ଥ ତଥା ପରାକ୍ରମ ସବୁ ଆପଣମାନଙ୍କର । ମୋଦୀଙ୍କୁ କିଛି ବ୍ୟକ୍ତି ଦେଇଥିବା ଚିଠିର ଉତ୍ତର ସେ ସେମାନଙ୍କର ନାମକୁ ଉଲ୍ଲେଖ କରି ମଧ୍ୟ କହିଛନ୍ତି । ସେହି ନାମଗୁଡ଼ିକ ମଧ୍ୟରେ ରହିଛନ୍ତି, ଭୁବନେଶ୍ୱରର ସୀତାଂଶୁ ମୋହନ ପରିଡ଼ା, ବେଲଗାଭୀର ପୱନ ଗଉରାଇ, ୟଶ ଶର୍ମା ତଥା ଶାହବ ଆଲତାଫଙ୍କ ପରି ଅନେକ ବ୍ୟକ୍ତି ।

– ଭାରତରେ ବର୍ଷାଜଳର ମାତ୍ର ୮ ପ୍ରତିଶତ ଉପଯୋଗ ହୋଇପାରୁଛି । ଏବେ ବର୍ଷାଜଳକୁ ସଂରକ୍ଷଣ କରି ଏହାର ସଦୁପଯୋଗ କରିବାର ଉଚିତ୍ ସମୟ ଆସିଛି ।

– ଦେଶରେ ଦେଖାଦେଇଥିବା ଜଳ ସଙ୍କଟ ଓ ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ଏକ ନୂତନ ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି । ଏହି ମନ୍ତ୍ରଣାଳୟ ଜଳ ସମ୍ପର୍କୀତ ସମସ୍ତ ମାମଲାକୁ ତୁରନ୍ତ ସମାଧାନ କରିବାକୁ କାର୍ଯ୍ୟ କରିବ ।

– ଜୁନ ୨୨ ତାରିଖରେ ବିଭିନ୍ନ ଅଞ୍ଚଳରେ ଗ୍ରାମବାସୀମାନେ ଜଳ ସଂରକ୍ଷଣ କରିବାକୁ ଶ୍ରମଦାନ କରିଛନ୍ତି ।
ଜଳ ସଂରକ୍ଷଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, “ଆମେ ସମସ୍ତେ ମିଶି ପାଣିର ପ୍ରତିଟି ବିନ୍ଦୁକୁ ସଂଚୟ କରିବାର ସଂକଳ୍ପ ଗ୍ରହଣ କରିବା । ଜଳ ପରମେଶ୍ୱରଙ୍କ ପ୍ରଦତ ପ୍ରସାଦ, ଜଳ ପରଶମଣିର ରୂପ ବୋଲି ମୋର ବିଶ୍ୱାସ । ପୂର୍ବେ କୁହାଯାଉଥିଲା ଯେ, ପରଶମଣିର ସ୍ପର୍ଶରେ ଲୁହା ସୁନା ପାଲଟିଯାଏ । ମୁଁ କହୁଛି ଯେ, ପାଣି ପରଶମଣି, ପାଣିର ସ୍ପର୍ଶରେ ନବଜୀବନ ସୃଷ୍ଟି ହୋଇଯାଏ । ପାଣିର ପ୍ରତିଟି ବିନ୍ଦୁକୁ ସଂଚୟ କରିବା ପାଇଁ ଗୋଟିଏ ସଚେତନତା ଅଭିଯାନ ଆରମ୍ଭ କରିବା । ଏଥିରେ ଜଳ ସମ୍ପର୍କିତ ସମସ୍ୟା ବିଷୟରେ ଜଣାଇବା ସହ ଜଳ ସଂଚୟର ଉପାୟଗୁଡ଼ିକ ସମ୍ପର୍କରେ ପ୍ରଚାର ପ୍ରସାର କରିବା । ସମାଜକୁ ସଚେତନ କରିବା, ସମାଜକୁ ଏକାଠି କରିବା, ସମାଜ ସହ ଲାଗିପଡ଼ିବା । ଆପଣ ଲକ୍ଷ୍ୟ କରିବେ, ନିଜ ଆଖି ସାମ୍ନାରେ ପରିବର୍ତନ ଦେଖାଯିବ । ”

Leave A Reply

Your email address will not be published.