ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ,
ତୁମେ କଳ୍ପନା ଡୋରିରେ ବନ୍ଧା

ସୀତାକାନ୍ତ ମହାପାତ୍ର

ତୋହରି ମାୟାରେ ଜଗତ,
ମହତ ଆଦି ପଞ୍ଚଭୂତ
ଜଗତ ତୋ’ର ତହୁଁ ଜାତ,
ପାଳିଣ ପୁଣି କରୁ ଅନ୍ତ ।
(ଗୋପଲୀଳା, ଚତୁର୍ଥ ଅଧ୍ୟାୟ)

ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ ସୃଷ୍ଟି କରି ପାଳନ କରିବା ସମୟତକ ଆମେ ‘ଜଗତ’କୁ ଅବଲୋକନ କରୁଛୁ । ତୁମର ମାୟାରୁ ଏହା ସଂଭୂତ ବୋଲି ଆପଣାକୁ ଆମେ ବୋଧ ଦେଉଛୁ । ସାରା ଜଗତର ଲୀଳା ଖେଳା ତୁମରି ହିଁ ଲୀଳା । ଏହା ଆପଣାକୁ ବୁଝୋଉଛୁ । ପାଳନ କ୍ରିୟା ପରେ ଯେବେ ତାକୁ ଅନ୍ତ କରୁଛ ତା’ପରେ ଯେଉଁ ମହାଶୂନ୍ୟ ବିରାଜୁଛି ତାହା ଆମ କଳ୍ପନାର ବାହାରେ । ଅର୍ଥାତ୍ ଜଗତର ‘ସୃଷ୍ଟି’ର ପୂର୍ବାବସ୍ଥା ଓ ‘ଅନ୍ତ’ର ପର ଅବସ୍ଥା ଆମର କଳ୍ପନା ବାହାରେ । ଦୁଇପଟେ ଦୁଇ ମହାଶୂନ୍ୟ, ମଧ୍ୟବର୍ତ୍ତୀ କାଳରେ ଯେତିକି ତୁମର ଲୀଳାଖେଳା ।

କିନ୍ତୁ ଆମେ ଚିହ୍ନୁଥିବା, ଜାଣୁଥିବା ଜଗତର ପୂର୍ବ ଓ ପର ଅବସ୍ଥା ଯେ ତୁମରି ସ୍ଥିତିରେ ବିଲୟ ଘଟିଥାଏ ଓ ତୁମଠିଁ ବଂଚି ରହେ ଏତିକି କଳ୍ପନା କରିବାକୁ ତୁମେ ହିଁ ସୁଯୋଗ ଦେଇଛ । ଯଦି ଜଗତ ଚିରନ୍ତନ ବୋଲି ଆମକୁ ଜଣେଇଥାନ୍ତ ଆମେ ପୂର୍ବାପର ସ୍ଥିତିର କଳ୍ପନା କରିବା ଆଦୌ ଲୋଡ଼ା ପଡନ୍ତାନି । ହେ ଅକଳ୍ପନୀୟ, ତୁମେ ଆମକୁ ଦେଇଛ କଳ୍ପନାଶକ୍ତି; ତୁମର ମହିମା, ତୁମରି ସୃଷ୍ଟି ଓ ଅନ୍ତ କରିବାର ସେ କ୍ଷମତାକୁ ମନକୁ ଆଣି ଧନ୍ଦି ହେବାର ଭାଗ୍ୟ ଆମକୁ ଦେଇଛ । ଭାବନାର ଅକ୍ଷମତା, ସବୁ ଚିନ୍ତା କଲାପରେ ସେ ‘ପୂର୍ବସ୍ଥିତି’ ଓ ‘ପରସ୍ଥିତି’କୁ ନିର୍ଦିଷ୍ଟ ରୂପରେଖ ଦେବାର ଅକ୍ଷମତା ହିଁ ଆମକୁ ଦେଇଛ । କଳ୍ପନା ଓ ତା’ର ଅକ୍ଷମତା ଏବଂ ସେ ଅକ୍ଷମତା ହେତୁ ହନ୍ତସନ୍ତ ହେବାର କପାଳଲିଖନ ତୁମେ ହିଁ ଲେଖିଛ । କିନ୍ତୁ କଳ୍ପନାର ସଂପୂର୍ଣ୍ଣ ବିଲୋପ ହୋଇନି, କାରଣ ତୁମେ ହିଁ ତା’ରି ପ୍ରଣେତା, ଦାତା ଓ ସୃଷ୍ଟିକର୍ତ୍ତା ।

ତୁମ ପ୍ରଦତ୍ତ କଳ୍ପନା ହିଁ ଆମ ଜୀବନର ବଡ଼ ସଂପଦ । ସବୁ ‘ହଁ’, ‘ନାହିଁ’ ଭିତରେ କାଣିଚାଏ ପ୍ରତ୍ୟୟ କଳ୍ପନା ହିଁ ସୃଷ୍ଟି କରୁଛି । ନାନା ଘାତ ପ୍ରତିଘାତ ଭିତରେ ନୂତନ ସୃଷ୍ଟି, ନୂଆ ଜୀବନ ଏବଂ ପୁନରପି ମୃତ୍ୟୁର ଚିରକାଳ ଆବର୍ତ୍ତନ ଭିତରେ ‘କଳ୍ପନା’ ଟିକକୁ ସ୍ଥାଣୁ କରି ଆମେ ବସିଛୁ । ମୃତ୍ୟୁ ବି ଆମଠୁଁ ତାକୁ ଛଡେ଼ଇ ନେଇପାରିନି । ମୃତ୍ୟୁର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସେଇ କଳ୍ପନା ଆମ ସାଥିରେ । ଏପରିକି କଳ୍ପନାରେ ହିଁ ମୃତ୍ୟୁକୁ ଆମେ ଦେଖିପାରୁ, ତା’ର ସ୍ୱରୂପ ଆକଳନ କରୁ ।

ଯେଉଁ କଳ୍ପନା ଶକ୍ତି ଆମକୁ ଦେଇଛ ତାହା ତ୍ରିବିଧ । ଯାହା ନିଜ ଆଖିରେ ଦେଖିଛୁ ଓ ଯିଏ ଉଭାନ ହୋଇଯାଇଛି ତାକୁ କଳ୍ପନା ଚକ୍ଷୁରେ ଦେଖୁଛୁ । ଯାହାକୁ ଆଦୌ ଦେଖିନୁ କିନ୍ତୁ ଯିଏ ଅଛି ବୋଲି ଆମକୁ ଜ୍ଞାନଶକ୍ତିରେ ବିଚାରିବା କ୍ଷମତା ଦେଇଛ ତାକୁ ମଧ୍ୟ କଳ୍ପନାରେ ଦେଖୁଛୁ । ତୃତୀୟତଃ ଯାହା ହୁଏତ କେଭେ ନ ଥିଲା ବା କେଭେ ସମ୍ଭବିବ ନାହିଁ ସେ ମହାଶୂନ୍ୟତାକୁ ହିଁ କଳ୍ପନା କରିବାର କ୍ଷମତା ତୁମେ ହିଁ ଦେଇଛ ।

ଏଇ ତ୍ରିଗୁଣ ରଜ୍ଜୁରେ ଆମେ ନିୟତ ବନ୍ଧା ହୋଇ ରହିଛୁ । ତାହାରି ମହିମାରେ ତୁମେ ଆପଣାକୁ ଆପେ ଆମ କଳ୍ପନାକୁ ଆସ । ଅଣସର ଘରେ ବିଶ୍ରାମିବା ବେଳେ ଚିତ୍ରକାରଙ୍କ ‘ପଟିଦିଅଁ’ ଚିତ୍ରପଟର କଳ୍ପନା ସଂଚାର କର । ତୁମେ ଶୂନ୍ୟ, ମହାଶୂନ୍ୟ ବୋଲି ମଧ୍ୟ ଆମେ କଳ୍ପନା କରିବା କ୍ଷମତା ତୁମଠୁଁ ହିଁ ଲାଭ କରିଛୁ ।

ତୁମେ ତେଣୁ ରୂପ ଅଥଚ ଅରୂପ; ସାକାର ଅଥଚ ନିରାକାର । କିନ୍ତୁ ନିଶ୍ଚୟ ମାନିବାକୁ ହେବ ହେ ଅକଳ୍ପନୀୟ ମହାବାହୁ, ଯେ ତୁମରି ପ୍ରଦତ୍ତ କଳ୍ପନାରେ ‘ମାୟାଜାଲ’ରୁ କିଛି ଅଂଶ କାଟି ଆମେ ସେ ଅଦ୍ଭୁତ ଲୀଳାଖେଳା ସନ୍ଦର୍ଶନ କରିପାରୁ । ଆମପାଇଁ ତୁମର ନୂଆ କଳେବର ହେଉ କି ପୁରାତନ ଶରୀର ହେଉ; ତୁମକୁ କେବେ ଫଟୋରେ ବି ଦେଖି ନ ଥାଇ କେବଳ ବିଶ୍ୱାବସୁ ଗପରୁ ଶୁଣିଥାଉ- ତୁମେ ଆମ ସାମ୍ନାକୁ ଆସିବାର ସୁଦୟା କରିଛ; ଜଙ୍ଗଲ ଅପନ୍ତରାର ଆଦିବାସୀ ବୁଢ଼ୀକୁ ବି ଦୟା କରିଛ ।

ଆମ କଳ୍ପନା, ଇତିହାସ ଓ ମିଥରେ ରୂପାନ୍ତରିତ ହୋଇଛି । ସାମାନ୍ୟ ଖବରଟି ଅଭିଯୋଗ ଆମରି ଅଭିଯୋଗ ହୋଇ ରହିଛି କାଳକାଳକୁ : “ସବୁ ତ ଦେଖୁଛୁ ତୁଇ ବର୍ତ୍ତମାନ ଭୂତ ଓ ଭବିଷ୍ୟ, ସବୁ ତୁ ଜାଣୁଛୁ ତୁଇ ଜୀବନ ଓ ମରଣ ରହସ୍ୟ, ଆମ ପାଇଁ ଖାଲି ଦେଉ ବିସ୍ମୃତିର ଅବୁଝା ଅନ୍ଧାର ଛଳନାର ଯେତେ ମାୟାଜାଲ ।”

ସବୁ ଛଳନା ସତ୍ତ୍ୱେ ହେ ମହାବାହୁ, ଏତେ ଟିକେ କଳ୍ପନା ଶକ୍ତି ଦେଇଛ ଯାହାଦ୍ୱାରା ସେ ମାୟାଜାଲ ସାମାନ୍ୟ କାଟି ତୁମକୁ ଦେଖି ପାରୁଛୁ, ତୁମ ସୃଷ୍ଟିର ବିସ୍ମୟ କିଛି ଟିକେ ବୁଝିପାରୁଛୁ ।