Latest Odisha News

ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍‌ଯାପିତ

ଭୁବନେଶ୍ୱର : ଭୁବନେଶ୍ବର ସାହିତ୍ୟ ସାମାଜ ଟ୍ରଷ୍ଟ ଆନୁକୁଲ୍ୟରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ଭୁବନେଶ୍ବର ସାହିତ୍ୟ ପର୍ବ ଉଦଯାପିତ ହୋଇଯାଇଛି।

ଉଦ୍‌ଯାପନୀ ଉତ୍ସବ ଅବସରରେ ଆୟୋଜିତ ମୁକ୍ତ ଅଧିବେଶନରେ ଜର୍ମାନୀ ଲେଖିକା ତଥା ଅନୁବାଦିକା ଉତ୍ତେ ଐସିଞ୍ଜର ମୁଖ୍ୟ ଅତିଥି , ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥି ବିଶିଷ୍ଟ ଅତିଥି, ଭାଷାବିଜ୍ଞାନୀ ଦେବୀପ୍ରସନ୍ନ ପଟ୍ଟନାୟକ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ । ଓଡ଼ିଆ ଅସ୍ତିତ୍ୱର ଐତିହ୍ୟ ଓ ପରମ୍ପରା ଅତ୍ୟନ୍ତ ସମୃଦ୍ଧ । ଏହା ଆମର ଗର୍ବ ଓ ଗୌରବର ବିଷୟ ହେବା ସହିତ ଆମ ପ୍ରେରଣାର ଉତ୍ସ । ଆମ ଭାବ, ଭାବନା, କଳ୍ପନା ଓ ଅନୁଭବର ପୁଞ୍ଜିଭୂତ ଶକ୍ତିମତ୍ତା । ଏହାର ସଂରକ୍ଷଣ, ସୁରକ୍ଷା, ବ୍ୟାଖ୍ୟାନ ଓ ପ୍ରସାର ପ୍ରତ୍ୟେକ ଓଡ଼ିଆଙ୍କ ନୈତିକ କର୍ତ୍ତବ୍ୟ ବୋଲି ଅତିଥିମାନେ ମତ ଦେଇଛନ୍ତି । ତାଙ୍କ ସହ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତିପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଅନୁଷ୍ଠାନର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍ସବ ନିର୍ଦ୍ଦେଶକ ଅଶୋକ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

ଦ୍ଵିତୀୟ ପର୍ଯ୍ୟାୟରେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ନିଜର ସୃଜନଯାତ୍ରା ସମ୍ପର୍କରେ ଚଳଚ୍ଚିତ୍ର ଗବେଷକ ସୂର୍ଯ୍ୟ ଦେଓଙ୍କ ସହିତ ଆଳାପ କରିଥିଲେ । ଏହା ପରେ ‘ଓଡ଼ିଆ ପ୍ରକାଶନ: ଆହ୍ୱାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନା ଚକ୍ରରେ ବନୋଜ ତ୍ରିପାଠୀ, ବନ୍ଦନା ମିଶ୍ର, ଦେବାଶିଷ ସାମନ୍ତରାୟ ଓ କେଦାର ମିଶ୍ର ଆଲୋଚନା କରିଥିଲେ । ପରେ ପରେ ଶୁଭ୍ରାଂଶୁ ପଣ୍ଡାଙ୍କ ସଞ୍ଚାଳନାରେ ଟ୍ରାନ୍ସଜେଣ୍ଡରମାନଙ୍କ ଜୀବନଧାରା, ସ୍ୱପ୍ନ ଓ ସମସ୍ୟା ସମ୍ପର୍କିତ ଆଲୋଚନା ଚକ୍ରରେ ସୁମନ, ଆୟେଶା, ସମୀକ୍ଷା ଓ ସନ୍ତୋଷ ଜେନା (ଏମି) ଅଂଶଗ୍ରହଣ କରିଥିଲେ ।

ବିଶିଷ୍ଟ କବୀ ପ୍ରବାସିନୀ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ପ୍ରସନ୍ନ କୁମାର ସ୍ୱାଇଁ, ଗୀତାଶ୍ରୀ ପି୍ରୟମ୍ବଦା ଓ ପ୍ରଣତି ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୬୦ରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ ।

 

ପରିଶେଷରେ ସନ୍ଧ୍ୟାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ ଆଧାରିତ ମୃଣାଳ ସେନ୍‌ଙ୍କ ନିର୍ଦ୍ଦେଶିତ କ୍ଲାସିକ୍‌ ଓଡ଼ିଆ ଚଳଚ୍ଚିତ୍ର ‘ମାଟିର ମଣିଷ’ ପ୍ରଦର୍ଶିତ ହୋଇଥିଲା । ଏଥିରେ କାଳିନ୍ଦୀ ଚରଣଙ୍କ ପୌତ୍ର ସୁପର୍ଣ୍ଣୋ ଶତପଥୀ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ପରିଚାଳନା କରିଥିବା ବେଳେ ସର୍ବଶ୍ରୀ ନନ୍ଦ କିଶୋର ବିଶ୍ୱାଳ, ପ୍ରଦୀପ୍ତ କୁମାର ବାରିକ, ଆଭାସ ବରାଳ, ଅଭୟ ନାରାୟଣ ନାୟକ, ଶାକ୍ୟସିଂହ ମହାପାତ୍ର, ସୁଧୀର ମଉଡ଼ମଣି, ବିଧୁଭୂଷଣ ତି୍ରପାଠୀ, ସଂଜୟ ମହାନ୍ତି ପ୍ରମୁଖ ବିଭିନ୍ନ ସହଯୋଗ କରିଥିଲେ ।

Comments are closed.