Latest Odisha News

BREAKING NEWS

ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟର ଉତ୍କଳ ରଙ୍ଗମଞ୍ଚରେ ‘ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪’ ଉଦ୍‌ଘାଟିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉତ୍ସବର ଶୁଭ ଉଦ୍‌ଘାଟନ କରିବା ସହ ଅପରାହ୍ନର ନୃତ୍ୟ ପରିବେଷଣ କରିବାକୁ ଥିବା ଅନୁଷ୍ଠାନର ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 

୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଭବ୍ୟ ଉତ୍ସବରେ ରାଜ୍ୟର ପ୍ରାୟ ୨୦ଟି ଗୋଟିପୁଅ ସଙ୍ଗଠନ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଆଜି ଅପରାହ୍ନ ଓ ସନ୍ଧ୍ୟାର ଅଧିବେଶନରେ ୧୦ ଗୋଟି ସଙ୍ଗଠନ ଯଥା:- କୈଳାସ ଗୋଟିପୁଅ ନୃତ୍ୟ ପ୍ରତିଷ୍ଠାନ, ସାକ୍ଷୀଗୋପାଳ, ଆରାଧନା ଡ୍ୟାନ୍ସ ଏକାଡେମୀ, ପ୍ରଧାନ ସାହି, ଖୋର୍ଦ୍ଧା, ଜୟଦେବ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ, ଭିଙ୍ଗାରପୁର, ଖୋର୍ଦ୍ଧା, କସା ଗୋଟିପୁଅ, ଚନ୍ଦନପୁର, ନୃତ୍ୟାମ୍ବର, ପୁରୀ: ବାବା ଗୋରେଖନାଥ ଗୋଟିପୁଅ ଡ୍ୟାନ୍ସ ଆସୋସିଏସନ୍‌, ପୁରୀ, ବାଙ୍କେଶ୍ୱରୀ ଗୋଟିପୁଅ ନୃତ୍ୟ ପରିଷଦ, ପୁରୀ ଅଭିନ୍ନ ସୁନ୍ଦର ଗୋଟପୁଅ ନୃତ୍ୟ ପରିଷଦ, ପୁରୀ ନକ୍ଷତ୍ର ଗୁରୁକୁଳ ଟ୍ରଷ୍ଟ, ଭୁବନେଶ୍ୱର ଓ ଲକ୍ଷ୍ମୀପ୍ରିୟା ଗୋଟିପୁଅ, ବାଲିପାଟଣା, ଖୋର୍ଦ୍ଧା ପୃଥକ ପୃଥକ ଭାବରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ବିଗତ ୧୦ ବର୍ଷର ବ୍ୟବଧାନରେ ଏହି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି । ଆମ ସଂସ୍କୃତି ସହିତ ଜଡ଼ିତ ଏହି ପାରମ୍ପରିକ ଗୋଟିପୁଅ ନୃତ୍ୟକୁ ଉଜ୍ଜୀବିତ ରଖିବା ନିମନ୍ତେ ଆଗାମୀ ଦିନରେ ପ୍ରତିବର୍ଷ ଏହି ଉତ୍ସବ ପାଳନ କରାଯିବ ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସିକତା ଦାସ ତାଙ୍କ ଅଭିଭାଷଣରେ ବ୍ୟକ୍ତ କରିଥିଲେ ।

ଏହି ଉତ୍ସବକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିବା ବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.