Latest Odisha News

BREAKING NEWS

ଓଡିଶାରେ ଗ୍ରୀଷ୍ମପ୍ରବାହ; ଲଗାତାର ଚତୁର୍ଥ ଦିନ ପାଇଁ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ ତାପମାତ୍ରା ସ୍ଥିର ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଦେଇଥିବା ସୂଚନାନୁସାରେ, ଚଳିତବର୍ଷ ଗ୍ରୀଷ୍ମପ୍ରବାହ ଶୀଘ୍ର ଆରମ୍ଭ ହୋଇଯାଇଛି। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ପାରଦ ୪୦.୬ ଡିଗ୍ରି ଛୁଇଁଛି। ଅନୁମାନ କରାଯାଉଛି ଯେ ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ବର ତାପମାତ୍ରା ସାମୟିକ ଭାବେ କିଛି କମିବ।

ଅନ୍ୟପଟେ ମାର୍ଚ୍ଚ ପହିଲାରୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଥିବା ବେଳେ ରାଜଧାନୀରେ ତାପମାତ୍ରା ୪୦ ଡେଇଁ ଯାଇଛି। ସବୁଠୁ ଉତ୍ତପ୍ତ ସହର ଭାବେ ଗତ ୪ ଦିନ ହେଲା ଦେଶରେ ରେକର୍ଡ କରିଛି ଭୁବନେଶ୍ୱର।

ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା ଲଗାତାର ବଢ଼ିବ ଓ ଆସନ୍ତାକାଲି ରାଜଧାନୀର ତାପମାତ୍ରା ୪୧ ଡିଗ୍ରି ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି।

ଏହାସହ ରାଜ୍ୟର ୮ ଜିଲ୍ଲାରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଲାଗି ରହିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଅନୁଗୁଳ ଓ ମୟୂରଭଞ୍ଜ। ଏସବୁ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅଧିକ ରହିବ। ଏଠାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବାର ଆଶଙ୍କା ରହିଛି।

ଏଥିପାଇଁ ମଧ୍ୟାହ୍ନ ସମୟରେ ଖରାରୁ ଦୂରେଇ ରହିବା ତଥା ଆବଶ୍ୟକ ପଡ଼ିଲେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ ବାହାରକୁ ବାହାରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି।ଲଗାତର ଭାବେ ଚତୁର୍ଥ ଦିନ ପାଇଁ ଦେଶର ସର୍ବାଧିକ ତାପମାତ୍ରା ଓଡ଼ିଶାର ରାଜଧାନୀରେ ରେକର୍ଡ ହୋଇଛି।

Leave A Reply

Your email address will not be published.