ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଜଣେ କେୟାରଟେକର ମାଲିକାଣୀଙ୍କୁ ହତ୍ୟା କରି ସୁନାଗହଣା ଧରି ଫେରାର ହେବା ଘଟଣାରେ କେୟାରଟେକରକୁ ଗିରଫ କରିଛି ପୁଲିସ । ତାକୁ ସୁରଟରୁ ଗିରଫ କରାଯାଇଛି।
ମାଲିକାଣୀ କୁଞ୍ଜଲତା ନନ୍ଦ (୭୬)ଙ୍କୁ ହତ୍ୟା କରିଥିଲା କେୟାରଟେକର ବଳଭଦ୍ର ରାମଚରଣ ମହାରଣା (୪୦)।ବଳଭଦ୍ର ଏହି ଅପରାଧ ଘଟାଇବା ପରେ ଫେରାର ହୋଇଯାଇ ଥିଲା। ତାକୁ ଗତ ରାତିରେ ସୁରଟ କ୍ରାଇମ ବ୍ରାଞ୍ଚ ଏବଂ ବଡୋଦରା ସ୍ପେଶାଲ ସ୍କ୍ୱାଡ୍ର ଏକ ମିଳିତ ଅଭିଯାନରେ ତାକୁ ଧରିବାରେ ସଫଳ ହୋଇଛି।
ସୂଚନା ଅନୁଯାୟୀ, ସେ ବସ୍ ଯୋଗେ ଦିଲ୍ଲୀ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜାତୀୟ ରାଜପଥ-୪୮ ଉପରେ ଥିବା ଏକ ହୋଟେଲ ନିକଟରୁ ପୋଲିସ ତାକୁ କାବୁ କରିଥିଲା। ତା’ ନିକଟରୁ କୁଞ୍ଜଲତାଙ୍କ ଅଳଙ୍କାର ଜବତ କରାଯାଇଛି। କମିଶନରେଟ୍ ପୋଲିସ ସ୍ଥାନୀୟ କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ତାକୁ ଆଣୁଛି ଏବଂ ଖୁବ୍ ଶୀଘ୍ର ତାକୁ କୋର୍ଟରେ ହାଜର କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ଅବସରପ୍ରାପ୍ତ ଡିଏଫଓ ସ୍ୱର୍ଗତ ହାଡ଼ିବନ୍ଧୁ ନନ୍ଦଙ୍କ ପତ୍ନୀ ହେଉଛନ୍ତି କୁଞ୍ଜଲତା। ହାଡ଼ିବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ବୁଦ୍ଧ ନଗର ଘରେ ଏକା ରହୁଥିଲେ କୁଞ୍ଜଲତା। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି।ବଡ଼ ପୁଅ ଆମେରିକାରେ ରହୁଥିବା ବେଳେ ସାନ ପୁଅ ମୁମ୍ବାଇରେ ରୁହନ୍ତି। ଦୁଇ ଝିଅ ଭୁବନେଶ୍ୱରର ଅନ୍ୟ ଅଞ୍ଚଳରେ ରହୁଥିଲେ। କୁଞ୍ଜଲତାଙ୍କ ଦେଖାଶୁଣା ପାଇଁ ବଳଭଦ୍ରକୁ ରଖାଯାଇଥିଲା।
ବଳଭଦ୍ର ତାଙ୍କୁ ନଭେମ୍ବର ୩ ତାରିଖ ରାତିରେ ହତ୍ୟା କରିଥିଲେ। ନଭେମ୍ବର ୪ ତାରିଖ ସକାଳେ ତାଙ୍କ ଶୋଇବା ଘରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ଘରର ଆଲମାରିରୁ ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଥିଲା।
ଗତ ୪-୫ ମାସ ଧରି କୁଞ୍ଜଲତାଙ୍କ କେୟାରଟେକର ଭାବେ କାମ କରୁଥିବା ବଳଭଦ୍ର ନିଜ ମୋବାଇଲ୍ ଫୋନ୍ ବନ୍ଦ କରି ଫେରାର ହୋଇଯାଇଥିଲା, ଯାହା ସ୍ପଷ୍ଟ କରିଦେଇଥିଲା ଯେ ଏହି ହତ୍ୟାକାଣ୍ଡ ପଛରେ ସେ ହିଁ ରହିଛି।
ଲକ୍ଷ୍ମୀସାଗର ପୋଲିସ ଏବଂ ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାଡ୍ ତା’ ଉପରେ ନଜର ରଖିଥିଲେ, କିନ୍ତୁ ସେ ସେତେବେଳକୁ ବହୁ ଦୂରକୁ ପଳାଇ ଯାଇଥିଲା। ତା’ର ସମ୍ଭାବ୍ୟ ଲୁଚିବା ସ୍ଥାନଗୁଡ଼ିକରେ ଚଢ଼ଉ କରିବା ପରେ ପୋଲିସ ସୂଚନା ପାଇଥିଲା ଯେ ସେ ପଞ୍ଜାବ କିମ୍ବା ସୁରଟ ଆଡ଼କୁ ପଳାଇ ଯାଇଛି।
ଏହା ପରେ କମିଶନରେଟ ପୋଲିସ ପଞ୍ଜାବର ଲୁଧିଆନା ପୋଲିସ ଏବଂ ସୁରଟ ପୋଲିସ ସହ ଯୋଗାଯୋଗ କରିଥିଲା। କମିଶନରେଟ୍ ପୋଲିସ ଦେଇଥିବା ସୂଚନା ଆଧାରରେ, ସୁରଟ ପୋଲିସ୍ ଏକ ଅଭିଯାନ ଆରମ୍ଭ କରିଥିଲା। ଗତ ରାତିରେ ବଳଭଦ୍ର ବଡୋଦରା ଅଞ୍ଚଳରେ ବୁଲୁଥିବା ନେଇ ସୂଚନା ମିଳିବା ପରେ ଏକ ମିଳିତ ଟିମ୍ ତାକୁ ଗିରଫ କରିଛି।
