Latest Odisha News

ବିଏମସିର ବଡ ପଦକ୍ଷେପ: ଭିକାରୀମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର, ଟିଜିଙ୍କ ଲାଗି ନିର୍ମାଣ ହେବ ପୁନର୍ବାସ ଗୃହ

ଭୁବନେଶ୍ଵର: ବିଏମସିର ବଡ଼ ପଦକ୍ଷେପ । ଏଣିକି ରାଜରାସ୍ତାରେ ଭିକ ମାଗିପାରିବେନି ଭିକାରୀ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର। ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି ଭିକାରୀ । ରାସ୍ତାରେ ଭିକ ମାଗୁଥିବା ଦେଖିଲେ ଉଠାଇନେବ ବିଏମସି ସ୍କ୍ବାର୍ଡ ।

ବିଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖାଯିବ । ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀବିହାର, ପିଡବ୍ଲୁଡି କଲୋନୀ ଭଳି ଅଞ୍ଚଳରେ ଭିକାରି ଥଇଥାନ କେନ୍ଦ୍ର ରହିଛି । ପ୍ରତି କେନ୍ଦ୍ରରେ ଶହେ ଲେଖାଏଁ ଭିକାରୀ ରହିବା ବ୍ୟବସ୍ଥା ରହିଛି । ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖାଯିବ । ଏହା ସହ କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ ସେମାନଙ୍କୁ ଘରେ ଛାଡି ଦିଆଯାଇଛି । ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁଣି ଭିକ୍ଷାବୃତ୍ତି କରିବାର ଦେଖାଯାଏ , ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱରରେ ଭିକ୍ଷାବୃତ୍ତି କରି ଚଳୁଥିବା କିନ୍ନରଙ୍କ ଲାଗି ପୁନର୍ବାସ ଗୃହ ନିର୍ମାଣ ହେବ । ଏସଏସଇପିଡି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ବିଏମସି ଏଦିଗରେ ପଦକ୍ଷେପ ନେଇଛି । ନିର୍ମାଣ ହେବାକୁ ଥିବା ୫୦ ଶଯ୍ୟା ବିଶିଷ୍ଟ ଗୃହର ପରିଚାଳନା ତଥା ସେବା ପ୍ରଦାନ ଲାଗି ଖୁବଶୀଘ୍ର ଏକ ଏଜେନ୍ସିକୁ ଚୟନ କରାଯିବ ।

ସହରକୁ ଭିକାରୀମୁକ୍ତ କରିବାକୁ ଏକାଧିକ ପଦକ୍ଷେପ ନିଆଯାଉଛି। ବିଏମସି ସମେତ କମିସନରେଟ୍‌ ପୋଲିସ ଓ ସାମାଜିକ ସଙ୍ଗଠନଗୁଡ଼ିକ ବିଭିନ୍ନ ସ୍ଥାନରୁ ଭିକାରୀମାନଙ୍କୁ ଉଦ୍ଧାର କରିଛନ୍ତି। ରାସ୍ତାପାର୍ଶ୍ୱରେ ଭିକାରୀଙ୍କୁ ନିଷେଧ କରାଯାଇଥିବା ବେଳେ ରାମ ମନ୍ଦିର ନିକଟ ଏବେ ଭିକାରୀ ମୁକ୍ତ ହୋଇଛି । କିନ୍ନରମାନେ ଏକ ସ୍ୱତନ୍ତ୍ର ବର୍ଗ ହୋଇଥିବାରୁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକଳାପ ଯଥା ଟ୍ୟାକ୍ସ ସଂଗ୍ରହ, ପାର୍କିଂ ସ୍ଥାନ ପରିଚାଳନା ଭଳି ବିଭିନ୍ନ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.