Latest Odisha News

BREAKING NEWS

ନେତା ମାଳ ମାଳ, ବିଦ୍ରୋହ ଆଶଙ୍କା: ବିଜେଡିକୁ ଘାରିଛି ‘ଭୁବନେଶ୍ୱର’ ଚିନ୍ତା

ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଜେଡିକୁ ଘାରିଛି ଦଳରେ ବିଦ୍ରୋହ ଆଶଙ୍କା। ୧୪୭ ଆସନରେ ଯଦିଓ ଦାବିଦାର ଅନେକ ଅଛନ୍ତି କିନ୍ତୁ ସେଥିମଧ୍ୟରୁ ବିଦ୍ରୋହ ଆଶଙ୍କା କମ୍ ରହିଛି। ହେଲେ ରାଜଧାନୀ ଭୁବନେଶ୍ବରରେ ଆଶାୟୀଙ୍କ ସଂଖ୍ୟା ଯେମିତି ବିଦ୍ରୋହୀଙ୍କ ସଂଖ୍ୟା ସେପରି। ଉତ୍ତର, ଭୁବନେଶ୍ବର ମଧ୍ୟ ଏବଂ ଏକାମ୍ର ବିଧାନସଭା ଆସନ ସହିତ ଭୁବନେଶ୍ୱର ଲୋକସଭା ଆସନ ଏବେ ବିଜୁ ଜନତା ଦଳ ପାଇଁ ଚିନ୍ତା ବଢ଼ାଇଛି।

ସହରର ପ୍ରଥମ ମେୟର ମିହିର ମହାନ୍ତି ଓ ଦଳର ଅନ୍ୟତମ ନେତ୍ରୀ ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ଆସନ ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଶାସକ ବିଜୁ ଜନତା ଦଳ (ବିଜେଡି) ପାଇଁ ଟେନସନ ବଢ଼ିଛି।

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ଟିକେଟ ପାଇଁ ଲବି କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାସଭବନରେ ଆଶାୟୀମାନେ ଧାଡ଼ି ବାନ୍ଧିଛନ୍ତି। ଭୁବନେଶ୍ୱର ଲୋକସଭା ଆସନ ପାଇଁ ଆଶାୟୀ ମିହିର ମହାନ୍ତି ଏହି ଧାଡ଼ିରେ ସଦ୍ୟତମ ଯୋଡ଼ି ହୋଇଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମୟୀ ମିଶ୍ର ତାଙ୍କ ପ୍ରାର୍ଥୀତ୍ୱ ପାଇଁ ଜନସମର୍ଥନ ହାସଲ କରିବା ପାଇଁ ସଂସଦୀୟ ନିର୍ବାଚନମଣ୍ଡଳୀରେ ସକ୍ରିୟ ପ୍ରଚାର କରୁଥିବା ବେଳେ ଶ୍ରୀ ମହାନ୍ତିଙ୍କ ଟିକେଟ ଦୌଡ଼ରେ ପ୍ରବେଶ ହୋଇଛି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ମିହିର ମହାନ୍ତି ବିଜେଡି ଟିକେଟ୍ ପାଇବା ନେଇ ଆଶାବାଦୀ ଥିବା ବେଳେ ଦଳକୁ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ଦରକାର ବୋଲି ସେ କହିଛନ୍ତି। ଯିଏ ବିରୋଧୀଙ୍କୁ ପ୍ରଭାବଶାଳୀ ଭାବେ ମୁକାବିଲା କରିପାରିବ। ସେ ଶ୍ରୀମୟୀ ମିଶ୍ରଙ୍କ ପ୍ରଚାର ଉପରେ ମନ୍ତବ୍ୟ ଦେବାରୁ ଦୂରେଇ ରହି କହିଥିଲେ ଯେ ସେ ତାଙ୍କୁ ସାନ ଭଉଣୀ ଭାବନ୍ତି ଏବଂ ଆଗାମୀ ନିର୍ବାଚନରେ ସେ ଏକ ଦୃଢ଼ ଲଢ଼େଇ କରିପାରିବେ ବୋଲି ବିଶ୍ୱାସ କରନ୍ତି। ଅନ୍ୟପଟେ ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବେ ବି ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ଇଚ୍ଛୁକ।

ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପରାସ୍ତ କରିବା ସହ ଭୁବନେଶ୍ୱର ଲୋକସଭା ଆସନ ବିଜେଡି ହାତରୁ ଛଡ଼ାଇ ନେଇଥିଲେ। ବର୍ତ୍ତମାନର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁନର୍ବାର ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି ଏବଂ ସେ ଜନସମ୍ପର୍କ ଅଭିଯାନ ଆରମ୍ଭ କରିସାରିଛନ୍ତି।

ସେପଟେ ଭୁବନେଶ୍ୱର ଏକାମ୍ର ଓ ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀଙ୍କ ଭିଡ ନବୀନ ନିବାସରେ ଲାଗିଛି । ବିଜେଡି କର୍ପୋରେଟର ଅମରେଶ (ବାଇଁଆ) ଜେନା ଓ ବିରଞ୍ଚି ମହାସୁପାକର ନବୀନ ନିବାସରେ ଦାବିପତ୍ର ପ୍ରଦାନ କରିଛନ୍ତି। ମଧ୍ୟରୁ ଅନନ୍ତ ନାରାୟଣ ଜେନା ବିଧାୟକ ରହିଛନ୍ତି। ଯିଏକି ପୂର୍ବତନ ମେୟର। ଅମରେଶ ଦୀର୍ଘ ବର୍ଷ ଧରି କର୍ପୋରେଟର ରହିଆସିଛନ୍ତି। ନିକଟରେ ବନ୍ଧୁ ମିଳନ ଆଳରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଯଦି ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଟିକେଟ ନଦିଏ ତାହେଲେ ବିଦ୍ରୋହୀ ହେବାର ଆଶଙ୍କା ରହିଛି। ଯାହାକୁ ବିଜେଡିକୁ ଘାଟାରେ ପକାଇପାରେ। ସେପଟେ ବିଧାୟକ ଅନନ୍ତ ଜେନା ଏ ବାବଦରେ ନିରବ ରହିଛନ୍ତି।

ଅନ୍ଯପଟେ ଉତ୍ତର ବିଧାନସଭାର ବିଧାୟକ ଅଛନ୍ତି ସୁଶାନ୍ତ ରାଉତ। କିନ୍ତୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଛନ୍ତି। ଉଭୟ ଦଳୀୟ ବ୍ୟାନରରେ ନିଜ ନିଜର ଜନ ସଂପର୍କ ଯାତ୍ରା ଜାରି ରଖିଛନ୍ତି। ସେହିପରି ଏକାମ୍ର ଆସନର ବିଧାୟକ ରହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। କିନ୍ତୁ ତାଙ୍କର ଦଳୀୟ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଛନ୍ତି କର୍ପୋରେଟର ବିରଞ୍ଚି ମହାସୁପାକର । ନିକଟରେ ନିଜ ସମର୍ଥକଙ୍କୁ ନେଇ ଏକ ସମାବେଶ କରିଥିଲେ ସୁପକାର।

ସାରା ରାଜ୍ୟର ନଜର ରହିଥାଏ ରାଜଧାନୀର ପ୍ରାର୍ଥୀଙ୍କ ଉପରେ। ହେଲେ ବିଜେଡିର ଆଶାୟୀଙ୍କ ତାଲିକା ଲମ୍ବା ହୋଇଥିବାରୁ ଏବେ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.