Latest Odisha News

ସ୍ଵପ୍ନର ଉଡାଣ ଭରିବେ କଳାହାଣ୍ଡି ବାସିନ୍ଧା; ଅଗଷ୍ଟ ୩୧ରୁ ଭୁବନେଶ୍ବରରୁ ଉତ୍କେଲା ବିମାନ ସେବା ଆରମ୍ଭ

ଭୁବନେଶ୍ବର: ଆକାଶପଥରେ ଯୋଡ଼ି ହେବ କଳାହାଣ୍ଡି ଜିଲ୍ଲା । ବିମାନ ସେବା ପାଇବେ କଳାହାଣ୍ଡିବାସୀ । ଭୋକର ଭୂଗୋଳ କୁହାଯାଉଥିବା କଲାହାଣ୍ଡି ଜିଲ୍ଲାକୁ ଉଡିବ ବିମାନ । ଆସନ୍ତା ଅଗଷ୍ଟ ୩୧ରୁ କଳାହାଣ୍ଡି ଜିଲ୍ଲାର ଉତ୍କେଲାକୁ ଉଡ଼ିବ ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ଏହାକୁ ଫ୍ଲାଗ ଅପ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ମାଧ୍ୟମରେ ଯୋଡି ହେବେ । ସେହି ଦିନ ସକାଳ ୧୦ଟା ୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍‌କେଲା ଅଭିମୁଖେ ଯାତ୍ରା କରିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ହେବାକୁ ଥିବା ବେଳେ ଆଗକୁ ଏହା ରାୟପୁରକୁ ସମ୍ପ୍ରସାରିତ ହେବ ବୋଲି ସୂଚନା ମିଳିଛି । ପ୍ରତିଦିନ ଭୁବନେଶ୍ବରରୁ ଉତ୍କେଲାକୁ ଗୋଟିଏ ଥର ଚଳାଚଳ କରିବ ବିମାନ । ଉତ୍କେଲାରେ ସର୍ବପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବ । ରନୱେ ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଛି । ରନ୍‌ୱେର ଲମ୍ବ ୧୮ ଶହ ମିଟର ହେବ । ଯେଉଁଥିରେ ବଡ଼ ବିମାନ ମଧ୍ୟ ଅବତରଣ କରିପାରିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଝାରସୁଗୁଡ଼ା,ରାଉରକେଲା,ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ କରୁଥିବା ବେଳେ ଏବେ ଏଥିରେ ଯୋଡ଼ି ହେବ ଭବାନୀପାଟଣା । ଉଡାନ ସ୍କିମରେ ଉତ୍କେଲା ବିମାନ ବନ୍ଦର ରାଜ୍ୟର ପଞ୍ଚମ ବିମାନ ବନ୍ଦର ହେବାକୁ ଯାଉଛି । ତେବେ ବାକି ଥିବା ଏୟାର ଷ୍ଟ୍ରିପ ଆଗକୁ ମଧ୍ୟ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।

Comments are closed.