Latest Odisha News

BREAKING NEWS

ଭୟଙ୍କର ରାଜ୍ୟ ରାଜଧାନୀ ବାୟୁ ସ୍ଥିତି: ଦିଲ୍ଲୀକୁ ଟପିଲା

ଭୁବନେଶ୍ବର: ଦିନକୁ ଦିନ ବାୟୁର ସ୍ଥିତି ବିଗିଡିବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀ କାହିଁ କେତେ ଦିନରୁ ପ୍ରଦୂଷିତ ବାୟୁରେ ଯୁଝି ହେଉଥିବା ବେଳେ ଏବେ ଡରାଇଲାଣି ରାଜ୍ୟ ରାଜଧାନୀ ଭୁବନେଶ୍ବର । ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର । ଯେଉଁଠି ବିଷାକ୍ତ ଦିଲ୍ଲୀ ବାୟୁର ଏକ୍ୟୁଆଇ ପିଏମ୍‌-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୧୭୮ ରହିଥିଲା ସେଠି ଗତକାଲି ଭୁବନେଶ୍ବରର ପିଏମ୍‌-୨.୫ ମାତ୍ରା ୨୬୬ରେ ପହଞ୍ଚିଥିଲା ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ‌ବୋର୍ଡ ଦ୍ବାରା ପ୍ରକାଶିତ ରିପୋର୍ଟ ଦର୍ଶାଇଛି ଦେଶର ୨୫ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ବହୁତ ଖରାପ ସ୍ତରରେ ପହଞ୍ଚିଛି । ଯେଉଁଥିରେ ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତା‌ଳଚେର ରହିଛି । ଆଉ ଭୁବନେଶ୍ବରର ବାୟୁ ମାନ ସୂଚକାଙ୍କ ଦିଲ୍ଲୀ ସ୍ଥିତିକୁ ବି ବଳି ଯାଇଛି । ଏଠିକା ବାସିନ୍ଦା ଏତେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଯେ, ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ନିଜ ଶରୀର ଭିତରକୁ ନେଉଛନ୍ତି । ଯାହାଦ୍ବାରା ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଏକ୍ୟୁଆଇ ୧୭୮ ରହିଥିବା ବେଳେ ଭୁବନେଶ୍ବରର ୨୬୬ରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଏହା ଆହୁରି ବଢ଼ିଥିବା ଜଣାପଡ଼ିଛି । ଗତକାଲି ଅପରାହ୍ଣ ସୁଦ୍ଧା ବାଲେଶ୍ବରରେ ୨୮୫ ଥିବା ବେଳେ ଅନୁଗୁଳରେ ୨୫୫ ଓ ବ୍ୟାସନଗରରେ ୨୪୯ ସେହିପରି ଗତରାତି ୯ଟା ବେଳକୁ ବ୍ୟାସନଗରର ଏକ୍ୟୁଆଇ ୨୯୦, ଭୁବନେଶ୍ବରରେ ୨୬୭, ତାଳଚେରରେ ୨୫୩ରେ ପହଞ୍ଚିଥିଲା । ବାରିପଦାରେ ୧୮୯, କଟକରେ ୧୭୩, ରାଉରକେଲାରେ ୧୮୧ ରହିଥିଲା ।

ତେବେ ରିପୋର୍ଟକୁ ଦେଖିଲେ ବର୍ତ୍ତମାନର ରାଜ୍ୟର ମୁଖ୍ୟ ସହର ଗୁଡିକର ବାୟୁ ପ୍ରଦୂଷଣ ଦୀପାବଳି ପରବର୍ତ୍ତୀ ଅବସ୍ଥାକୁ ବଳି ଯାଇଛି, ଯାହା ଚିନ୍ତାଜନକ ।

Comments are closed.