Latest Odisha News

BREAKING NEWS

ଭିନ୍ନ ଜଣେ ସଂଗ୍ରାହକ…ଏଯାଏଁ ସଂଗ୍ରହ କରିଛନ୍ତି ପ୍ରାୟ ତିନି ହଜାରରୁ ଅଧିକ ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁ ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର । ଆଦ୍ୟପୂଜ୍ୟ ଗଣେଶ ପ୍ରତ୍ୟେକଟି ହିନ୍ଦୁଙ୍କ ଠାକୁର ଘରେ ପୂଜା ପାଉଥିବେ ନହେଲେ ପେଣ୍ଟିଂ କିମ୍ବା ଘରସଜ୍ଜା ସାମଗ୍ରୀ ଭାବେ ସଜା ହୋଇଥିବେ ନିଶ୍ଚୟ । ଅନେକଙ୍କ ଘରେ ବିଭିନ୍ନ ସାମଗ୍ରୀରେ ତିଆରି ଭିନ୍ନ ଭିନ୍ନ ପ୍ରକାର ଗଣେଶଙ୍କ ମୂର୍ତ୍ତି ଓ ଚିତ୍ର ଦେଖିବାକୁ ମିଳିଥାଏ ।

ତେବେ ବହୁତ କମ ଲୋକ ଅଧିକ ସଂଖ୍ୟାରେ ଗଣେଶଙ୍କ ମୂର୍ତ୍ତି ସଂଗ୍ରହ କରି ଘରେ ସଜାଇଛନ୍ତି । ହାଇଦ୍ରାବାଦ ଭଳି କେତେକ ସହରରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଗଣେଶଙ୍କ ବିଭିନ୍ନ ଆକୃତିର ମୂର୍ତ୍ତି ସାଇତିବା ଏକ ସଉକ । ଏଥି ପାଇଁ ସେମାନଙ୍କ ମଧ୍ୟରୁ ଅନେକଙ୍କ ନାଁରେ ରେକର୍ଡ ମଧ୍ୟ ରହିଛି ।

ଏବେ ଭୁବନେଶ୍ୱରରେ ମଧ୍ୟ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାର ନିଶା ଗଣେଶଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତି ସଂଗ୍ରହ କରିବା । ପାଞ୍ଚ ବର୍ଷ ତଳେ ଆରମ୍ଭ ହୋଇଥିବା ତାଙ୍କର ଏହି ସଉକ ଜରିଆରେ ସେ ସାଇତିଛନ୍ତି ତିନି ହଜାରରୁ ଅଧିକ ଛୋଟ ବଡ ଗଣେଶ ମୂର୍ତ୍ତି । ପ୍ରତ୍ୟେକଟି ଅନ୍ୟଟିରୁ ଭିନ୍ନ । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ୍ କଲୋନୀରେ ରହୁଥିବା ଇଂଜିନିଅର କ୍ଷୀତିଶ ବିହାରୀ ସ୍ୱାଇଁ ।

ପେଶାରେ ସିଭିଲ ଇଂଜିନିଅର ୫୮ ବର୍ଷୀୟ କ୍ଷୀତିଶଙ୍କର ଏକ ଆର୍କିଟେକଚରାଲ ଇଂଜିନିଅରିଂ ସଂସ୍ଥା ରହିଛି । କ୍ଷୀତିଶ କହନ୍ତି ଯେ, ୨୦୧୫ରେ ତାଙ୍କ ଝିଅ ବିଦେଶ ଯାତ୍ରା କରିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଗୋଟିଏ ଛୋଟ ଗଣେଷ ମୂର୍ତ୍ତି ଉପହାର ଦେଇଥିଲା । ଏହି ମୂର୍ତ୍ତିର ଉଚ୍ଚତା ଏକ ଇଞ୍ଚରୁ ବି କମ୍ ଥିଲା । ଆଜି ଯାଏଁ ସେ ସଂଗ୍ରହ କରିଥିବା ସମସ୍ତ ଗଣେଶ ମୂର୍ତ୍ତି ମଧ୍ୟରେ ଏହା ସବୁଠୁ ଛୋଟ । ସେବେଠାରୁ ଆରମ୍ଭ ହୋଇଥିଲା ତାଙ୍କର ଗଣେଶ ମୂର୍ତ୍ତି ସଂଗ୍ରହ କରିବାର ନିଶା ।

କ୍ଷୀତିଶଙ୍କ ସଂଗ୍ରହ ମଧ୍ୟରେ ଥିବା ସବୁଠୁ ବଡ ହେଉଛି ଦୁଇ ଫୁଟ୍ ତିନି ଇଞ୍ଚ ଉଚ୍ଚତାର ମୁଗୁନି ପଥରର ଗଣେଶ ମୂର୍ତ୍ତି, ଯାହାର ଓଜନ ପ୍ରାୟ ଏକ କ୍ୱିଣ୍ଟାଲ । ତାଙ୍କ ପାଖରେ ଥିବା ଅନ୍ୟ ଗଣେଶ ମୂର୍ତ୍ତି ଗୁଡିକ କାଠ, ପିତ୍ତଳ, ଷ୍ଟିଲ୍‌, ରୂପା ତାରକଶୀ, ବିଭିନ୍ନ ପ୍ରକାରର ପଥର, ପ୍ଲାଷ୍ଟିକ୍‌, କାଗଜ, ବାଉଁଶ, ଲାଖ, କାଚ, ସଢେଇ, ସିପ, ଧାନ ତଥା ଅନ୍ୟ ପଦାର୍ଥରେ ତିଆରି ହୋଇଛି ।

ତାଙ୍କ ପାଖରେ ଥିବା ସମସ୍ତ ଗଣେଶ ମୂର୍ତ୍ତିଗୁଡିକୁ ସେ ଅତି ସୁନ୍ଦର ଭାବେ ସଜାଇ ରଖିଛନ୍ତି । ସେ ସମୟ ପାଇଲେ ବାହାରେ ସର୍ବସାଧାରଣଙ୍କ ପାଇଁ ଏହାକୁ ପ୍ରଦର୍ଶନ କରିବେ ବୋଲି ଇଚ୍ଛା ରଖିଛନ୍ତି । ବହୁ ସମୟରେ ଲୋକେ ସେ ସଂଗ୍ରହ କରିଥିବା ମୂର୍ତ୍ତିଗୁଡିକୁ ଦେଖିବାକୁ ଘରକୁ ମଧ୍ୟ ଆସିଥିନ୍ତି ।

ନିଜେ ଯେଉଁଆଡେ ଯାଆନ୍ତି ସେଠାରୁ ଖୋଜିଖୋଜି ଗଣେଶ ମୂର୍ତ୍ତି ସଂଗ୍ରହ କରି ଘରକୁ ଆଣିଥାନ୍ତି । ଏଥି ସହିତ ଭୁବନେଶ୍ୱରରେ ଯେତେ ପ୍ରଦର୍ଶନୀ ପଡିଥାଏ କ୍ଷୀତିଶ ସେଠାକୁ ଯାଇ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ଖୋଜି କିଣିଥାନ୍ତି । ତାଙ୍କ ସଉକ ଦେଖି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ବି ତାଙ୍କୁ ସବୁବେଳେ ଗଣେଶ ମୂର୍ତ୍ତି ଉପହାରରେ ଦେଇଥାନ୍ତି । ଯେମିତି କେଦୁଝରରେ ଥିବା ତାଙ୍କ ଜଣେ ବନ୍ଧୁ ତାଙ୍କୁ ଧାନରେ ତିଆରି ଗଣେଶ ଉପହାର ଦେଇଥିଲେ ।

ତେବେ ଗଣେଶଙ୍କ ମୂର୍ତ୍ତି ସଂଗ୍ରହ କରିବା ବ୍ୟତୀତ ଗଣେଶଙ୍କ ଛବି ରହିଥିବା ଉପହାର ଳଫାଫା, ଚାବି ରିଙ୍ଗ୍‌, ଢୋକ୍ରା ହ୍ୟାଙ୍ଗର ଇତ୍ୟାଦି ମଧ୍ୟ ସେ ସଂଗ୍ରହ କରି ରଖିଛନ୍ତି । ଏହା ସାଙ୍ଗକୁ ପୁରୁଣା ଲଣ୍ଠନ, ଡିବି, ତାସ୍‌, ମୁଦ୍ରା, ପୋଷ୍ଟାଲ ଷ୍ଟାମ୍ପ ଓ ପୁରୁଣା ଖବର କାଗଜ ଇତ୍ୟାଦି ସେ ସଂଗ୍ରହ କରି ସାଇତି ରଖିଛନ୍ତି ।

 

Leave A Reply

Your email address will not be published.