ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୧୪ଜୁନରୁ ଏହି ସିରିଜ ଆରମ୍ଭ ହେବ । ଘୋଷଣା କରାଯାଇଥିବା ୨ଟି ଦଳରେ ଭାରତର ଦୁଇ ସିନିୟର ପେସ ବୋଲର ମହମ୍ମଦ ସାମୀ ଓ ଭୁବନେଶ୍ୱର କୁମାରଙ୍କୁ ସୁଯୋଗ ମିଳିନି । ଆଇପିଏଲ ପ୍ରଦର୍ଶନ ଦଳ ଚୟନର ମାପକାଠି ହେବ ବୋଲି ପୂର୍ବରୁ ଚୟନ କମିଟି ସୂଚନା ଦେଇଥିଲେ । ସାମୀ ଏବଂ ଭୁବନେଶ୍ୱର ଆଇପିଏଲରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଛନ୍ତି । ସାମୀ ୧୨ଟି ମ୍ୟାଚରେ ୮.୮୦ ଇକୋମୋନୀ ରେଟରେ ବୋଲିଂ କରି ୧୦ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭୁବନେଶ୍ୱର ୭.୭୦ ରେଟରେ ବୋଲିଂ କରି ୧୩ ମ୍ୟାଚରେ ୨୪ ୱିକେଟ ହାତେଇଛନ୍ତି ।
ଚୟନ କମିଟି ସେମାନଙ୍କୁ ଦଳରେ ନ ନେବା ଫଳରେ ଏହି ଦୁଇ ପେସ ବୋଲରଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଏକପ୍ରକାର ଶେଷ ହୋଇ ଯାଇଥିବା ଅନୁମାନ କରାଯାଉଛି । ସେହିପରି ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ବାଦ ଦିଆଯିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକର କହିଛନ୍ତି ଜାଡେଜାଙ୍କୁ ଟେଷ୍ଟ ଟିମରୁ ବିଶ୍ରାମ ଦିଆଯାଇଛି, ତେବେ ଦିିନିକିଆରେ ତାଙ୍କ ବିକଳ୍ପ ଖେଳାଳି ସନ୍ଧାନରେ ଆମେ ଅଛୁ । ଅକ୍ଷରଙ୍କୁ ବାଦ ଦିଆଯିବା ନେଇ ସେ କିଛି କହି ନ ଥିଲେ ।