Latest Odisha News

BREAKING NEWS

ଆପ୍ ସାଂସଦ ସ୍ବାତି ମାଲିଓ୍ବାଲ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ବିଭବ କୁମାର

ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତି ମାଲିୱାଲ ମାମଲା । କେଜ୍ରିଓ୍ବାଲଙ୍କ ପିଏସ୍ ବିଭବ କୁମାରଙ୍କ ଅଡୁଆ ବଢିଲା । ଦିଲ୍ଲୀର ତିସ୍ ହଜାରି କୋର୍ଟ ଆଜି ବିଭବଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ କୁ ପଠାଇଦେଇଛନ୍ତି । ସ୍ବାତୀ ମାଲିୱାଲ ମାମଲାରେ ବିଭବ କୁମାରଙ୍କୁ ମେ ୧୮ ରେ ଗିରଫ କରିଥିଲା ପୋଲିସ ।

ନ୍ୟାୟିକ ହେପାଜତକୁ ପଠାଯିବା ପୂର୍ବରୁ ବିଭବ କୁମାର ଦିଲ୍ଲୀ ପୋଲିସର ହେପାଜତରେ ଥିଲେ । ଏହା ପୂର୍ବରୁ ମେ ୨୮ ରେ କୋର୍ଟ ବିଭବଙ୍କୁ ଆଉ ତିନି ଦିନ ପାଇଁ ପୋଲିସ ହେପାଜତକୁ ପଠାଇଥିଲେ । ପୋଲିସ ୫ ଦିନ ପାଇଁ ହେପାଜତରେ ରଖିବାକୁ ଦାବି କରିଥିବାବେଳେ, କିନ୍ତୁ କୋର୍ଟ ମାତ୍ର ତିନି ଦିନ ସମୟ ଦେଇଥିଲେ ।

ବିଭବ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ ଆଶ୍ବସ୍ଥି ମିଳିନାହିଁ । ଆଜି (ଶୁକ୍ରବାର) ବିଭବଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ର ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟ ବିଭବଙ୍କ ଆବେଦନକୁ ସାଂସଦ-ବିଧାୟକ କୋର୍ଟକୁ ପଠାଇଛନ୍ତି । ଯେଉଁଠାରେ, ଜଷ୍ଟିସ୍ ସ୍ବର୍ଣ୍ଣ କାନ୍ତା ଶର୍ମାଙ୍କ ବେଞ୍ଚ ବିଭିବ କୁମାରଙ୍କ ଆବେଦନର ଶୁଣାଣି କରିପାରିବେ ।

ଏହି ଆବେଦନରେ ବିଭିବ କୁମାର ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ । ଏହି ଆବେଦନରେ ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ତାଙ୍କୁ ଜବରଦସ୍ତ ପୋଲିସ ହେପାଜତରେ ରଖାଯାଇଛି । ଏହା ସହିତ ଜବଦସ୍ତ ହେପାଜତରେ ରଖାଯାଇଥିବାରୁ କ୍ଷତିପୂରଣ ମଧ୍ୟ ଦିଆଯାଉ ଏବଂ ପୋଲିସ ବିରୋଧରେ ବିଭାଗୀୟ ତଦନ୍ତ ଦାବି କରାଯାଉ ।

Comments are closed.