ଓ୍ବାସିଙ୍ଗଟନ୍ : ୟୁକ୍ରେନରୁ ବିଦାୟ ନେଇପାରନ୍ତି ସମସ୍ତ ଆମେରିକୀୟ । ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି, ଯୁଦ୍ଧମୁହାଁ ୟୁକ୍ରେନରୁ ତୁରନ୍ତ ବିଦାୟ ନେବା ଆମେରିକୀୟଙ୍କ ଲାଗି ଠିକ୍ ପଦକ୍ଷେପ ହେବ । ଜର୍ମାନ ଚାନସେଲର ଓଲାଫ ସ୍କଜଙ୍କ ସହ ଆଲୋଚନା ବେଳେ ଏନେଇ ସୂଚନା ଦେଇଛନ୍ତି ବିଡେନ । ସେପଟେ ୟୁକ୍ରେନ ପ୍ରସଙ୍ଗରେ ପୁଣି ଥରେ ଋଷକୁ ଧମକ ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଦକ୍ଷିଣ ପୂର୍ବ ୟୁରୋପର ସୁରକ୍ଷା ଲାଗି ରୟାଲ ଏୟାର ଫୋର୍ସ ଟାଇଫୁନ ଫାଇଟର ଜେଟ୍ ଓ ରୟାଲ ନାଭି ଯୁଦ୍ଧଜାହାଜ ମୁତୟନ କରାଯିବ ବୋଲି ସେ କହିଛନ୍ତି । ଏହାସହ ଯଦି ଋଷ ୟୁକ୍ରେନ ଆକ୍ରମଣ କରେ ତେବେ ଋଷ ବିରୋଧରେ କଟକଣା ଜାରି କରାଯିବ ବୋଲି କହିଛନ୍ତି ବୋରିସ ଜନସନ ।
ଆକ୍ରମଣ ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜନସନ । ଅନ୍ୟପଟେ ୟୁକ୍ରେନ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜୋରଦାର ପ୍ରୟାସ ଜାରି ରହିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ତେବେ ୟୁକ୍ରେନ ସମସ୍ୟା ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ହିଁ ଦାୟୀ ବୋଲି କହିଛନ୍ତି ପୁଟିନ । ଦୁଇ ନେତାଙ୍କ ମଧ୍ୟରେ କ୍ରେମଲିନରେ ପ୍ରାୟ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଦିନକୁ ଦିନ ସଙ୍କଟ ଅଧିକ ଘନୀଭୂତ ହେଉଥିବା ବେଳେ ପ୍ରଥମ ନେତା ଭାବେ ମାକ୍ରନ ସମସ୍ୟାର ସମାଧାନ ଲାଗି ଆଗେଇ ଆସିଛନ୍ତି ।
Comments are closed.