Latest Odisha News

ପୁଟିନଙ୍କୁ ଚେତେଇଲେ ବାଇଡେନ୍: ୟୁକ୍ରେନ୍ ଆକ୍ରମଣ କଲେ ପରିଣାମ ଭୟାବହ ହେବ

ଓ୍ୱାଶିଂଟନ୍: ୟୁକ୍ରେନ-ରୁଷିଆ ଭିତରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି । ୟୁକ୍ରେନ୍ ସଂକଟ ଉପରେ ସାରା ବିଶ୍ୱର ନଜର ରହିଛି । ଯେକୌଣସି ସମୟରେ ରୁଷିଆ ୟୁକ୍ରେନ୍ ଉପରେ ହମଲା କରିପାରେ । ଯଦି ରୁଷିଆ ଆକ୍ରମଣ କଲେ ତେବେ ପରିସ୍ଥିତି ଓ ପରିଣାମ ଭୟାବହ ହେବ । ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ କଡ଼ା ଚେତାବନୀ ଶୁଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ୟୁକ୍ରେନ୍ ସଂକଟ ନେଇ ଗତକାଲି ପୁଟିନ ଓ ବାଇଡେନ୍ ଘଣ୍ଟାଏ ଧରି ଫୋନ୍ ଯୋଗେ କଥା ହୋଇଥିଲେ । ଏତିକିବେଳେ ବାଇଡେନ୍ କହିଛନ୍ତି, ୟୁକ୍ରେନ୍ ଆକ୍ରମଣ ବିପର୍ଯ୍ୟୟ ଆଣିପାରେ । ବଡ଼ ଧରଣର ମାନବୀୟ ଦୁର୍ଦ୍ଦଶାର କାରଣ ହେବ । ଏଥିସହ ବାଇଡେନ୍ କହିଛନ୍ତି, ସଂକଟର ସମାଧାନ ପାଇଁ ପାଶ୍ଚାତ୍ୟ କୁଟନୀତି କରିବାକୁ ପ୍ରତିଶ୍ରୁତିବଦ୍ଧ । ତାସହ ଅନ୍ୟ ପରିସ୍ଥିତିର ମୁକାବିଲା ପାଇଁ ବି ପ୍ରସ୍ତୁତ ରହିଛନ୍ତି ବୋଲି ବାଇଡେନ୍ କହିଛନ୍ତି ।

ୟୁରୋପରେ ଯୁଦ୍ଧ ଆଶଙ୍କାକୁ ଟାଳିବା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି । ବାଇଡେନ୍ କହିଛନ୍ତି, ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କଲେ ଆମେରିକା ଓ ତାର ମିତ୍ର ରାଷ୍ଟ୍ରମାନେ ନିର୍ଣ୍ଣାୟକ ମୁକାବିଲା କରିବ । ପରିଣାମ ବଡ଼ ଧରଣର ଭୟାବହ ହେବ ।

ୟୁକ୍ରେନ୍ ଉପରେ ଆକ୍ରମଣ କଥାକୁ ରୁଷ୍‌ ଅସ୍ୱୀକାର କରୁଛି । କିନ୍ତୁ ୟୁକ୍ରେନ୍ ସୀମାରେ ସମରସଜ୍ଜା କରିଛି । ଠୁଳ କରିଛି ୧ ଲକ୍ଷ୍ୟ ସୈନିକ ଓ ଯୁଦ୍ଧାସ୍ତ୍ର । ବେଲାରୁଷରେ ସମରାଭ୍ୟାସ କରିଛି । କୁହାଯାଉଛି ୨୦ ତାରିଖରେ ବେଜିଂରେ ଚାଲିଥିଲା ଓ୍ୱିଣ୍ଟର ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ୟୁକ୍ରେନ୍ ହମଲା କରିପାରେ ରୁଷିଆ । ଆମେରିକାର ଗୁଇନ୍ଦା ସୂଚନା ପରେ ଗତକାଲି ପୁଟିନଙ୍କ ସହ କଥା ହୋଇଛନ୍ତି ବାଇଡେନ୍ ।

Comments are closed, but trackbacks and pingbacks are open.