ନୂଆଦିଲ୍ଲୀ: କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏଥିପାଇଁ ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ସୂଚନା ରହିଛି । ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି।”
ଏହା ବ୍ୟତୀତ ମକା, ମାଣ୍ଡିଆ, ଜଓ୍ବାର, ବାଜରା ଆଦିର ଏମଏସପି ବୃଦ୍ଧି କରାଯାଇଛି । ସେହିପରି ହରଡ଼, ମୁଗ, ବିରି ଆଦି ଡାଲିଜାତୀୟ ଫସଲ, ସୂର୍ଯ୍ୟମୁଖୀ, ବାଦାମ, ରାଶି ଓ ସୋୟାବିନ ଆଦି ତୈଳବୀଜ ଓ କପାର ଏମଏସପି ବୃଦ୍ଧି କରାଯାଇଛି ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ, ଚାଷୀଙ୍କ ପାଇଁ ସୁଧ ଛାଡ ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଅତିରିକ୍ତ ୧୫ ହଜାର ୬୪୨ କୋଟି ଟଙ୍କା ବ୍ୟୟ ହେବ । ସେ କହିଛନ୍ତି, କିଷାନ କ୍ରେଡିଟ୍ କାର୍ଡ (କେସିସି) ଉପରେ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶର ୪ ଲେନ୍ ବିଶିଷ୍ଟ ବଡ଼ଭେଲ-ନେଲୋର ରାଜପଥ ନିର୍ମାଣକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପଟି ୩,୬୫୩ କୋଟି ଟଙ୍କା ବ୍ୟୟରେ BOT (ବିଲ୍ଡ-ଅପରେଟ୍-ଟ୍ରାନ୍ସଫର୍) ଟୋଲ୍ ମୋଡ୍ରେ ୨୦ ବର୍ଷ ମଧ୍ୟରେ ଶେଷ ହେବ । ମହାରାଷ୍ଟ୍ରର ୧୩୫ କିଲୋମିଟର ଲମ୍ବା ୱାର୍ଦ୍ଧା-ବଲ୍ଲାରଶାହ ରେଳ ଲାଇନ ଏବଂ ମଧ୍ୟପ୍ରଦେଶର ୪୧ କିଲୋମିଟର ଲମ୍ବା ରତଲାମ-ନାଗଡା ରେଳ ଲାଇନକୁ ପ୍ରଶସ୍ତ କରାଯିବ ।
Comments are closed.