ଭୁବନେଶ୍ୱର: ରାଜ୍ୟରେ କଟକ ସମେତ ବିଭିନ୍ନ ଜିଲ୍ଲାରୁ ପୁଳା ପୁଳା ନକଲି ଔଷଧ ଜବତ ହେବା ପରେ ଏ ଦିଗରେ ସତର୍କ ହୋଇଛି ଓଡ଼ିଶା ଔଷଧ ବ୍ୟବସାୟୀ ଆସୋସିଏସନ। ନକଲି ଔଷଧ ବିକ୍ରି ଉପରେ ରୋକ୍ ଲଗାଇବାକୁ ଯାଇ ଗତକାଲି ଏକ ବୈଠକ ବସିଥିଲା। ଏହି ବୈଠକରେ ସମସ୍ତ ଔଷଧ ବ୍ୟବସାୟୀ ସଂଘ ଏକାଠି ହୋଇଛନ୍ତି। ଆଉ ରାଜ୍ୟ ବାହାରୁ ଔଷଧ ଆଣିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଯିଏ ରାଜ୍ୟ ବାହାରୁ ଔଷଧ ଆଣିବେ ସେ ଔଷଧ ବ୍ୟବସାୟୀ ସଂଘରୁ ବାଦ୍ ପଡିବେ। ଏହି ନିୟମ ଉଭୟ ଛୋଟ ଔଷଧ ଦୋକାନୀ ଏବଂ ବଡ ହୋଲସେଲ ବ୍ୟବସାୟୀଙ୍କ ପାଇଁ ରହିଛି।
ସେହିପରି ଏବେ ବି ରାଜ୍ୟରେ ନକଲି ଔଷଧ ରହିଛି ତେଣୁ ସେହି ଔଷଧକୁ ଫେରାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟରେ ଔଷଧ କିଣିବା ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘ ଦାବି କରିଛି।
ନିକଟରେ ନକଲି ଔଷଧ ଟେଲମା ୪୦ କଟକର ବିଭିନ୍ନ ଔଷଧ ଦୋକାନରୁ ଜବତ ହେବା ପରେ ଜିଲ୍ଲା ଡ୍ରଗ୍ସ ଇନସପେକ୍ଟର ଟିମ୍ ଏକ ଚିଠି ଲେଖିଥିଲା ଔଷଧ ବ୍ୟବସାୟୀଙ୍କୁ। ଚଳିତବର୍ଷ ସେପ୍ଚେମ୍ବର ୧୨ରେ ଚିଠି ନମ୍ବର ୭୦୫ରେ ଭୁବନେଶ୍ୱରରେ ଥିବା ଔଷଧ ବ୍ୟବସାୟୀଙ୍କୁ ଏପରି ଏକ ଚିଠି ଲେଖିଥିଲେ ଡ୍ରଗ୍ସ କଣ୍ଟ୍ରୋଲର। ଏହି ଚିଠି ଜରିଆରେ ଏକ ଶୃଙ୍ଖଳିତ ଚେନ୍ ଜରିଆରେ ଔଷଧ କାରବାର କରିବାକୁ ମାର୍ଗଦର୍ଶିକା ଜାରି କରିଥିଲା ଡ୍ରଗ୍ସ ଇନସପେକ୍ଟର ଟିମ୍। ଯେଉଁ ଔଷଧ ବିତରକ ପଞ୍ଜିକୃତ ହୋଇଛି ସେହିଠାରୁ ଔଷଧ କାରବାର କରିବାକୁ ପରାମର୍ଶ ଦେଇଥିଲା। ଏହାପରେ ଔଷଧ ବ୍ୟବସାୟୀ ସଂଘର ବୈଠକ ବସିଥିଲା। ରାଜ୍ୟରେ ଯେଉଁ ନକଲି ଟେଲମା ୪୦ ଔଷଧ ବିକ୍ରି ହେଉଥିଲା ତାହା ରାଜ୍ୟ ବାହାରୁ ଆସିଥିଲା ବୋଲି ସୂଚନା ରହିଛି।
ଏବେ ଔଷଧ ବ୍ୟବସାୟୀ ସଂଘର ଏହି ନିଷ୍ପତ୍ତି ଆଗାମୀ ଦିନରେ ସମସ୍ତ ଔଷଧ ଯେ ରାଜ୍ୟରେ ଥିବା ଔଷଧ ଦୋକାନରେ ମିଳିବ ତାହା ସୁନିଶ୍ଚିତ କରାଇବ କି? କାରଣ ଓଡିଶାରେ ମଧ୍ୟ ଅନେକ ରୋଗୀ ରହିଛନ୍ତି ଯେଉଁମାନଙ୍କ ଔଷଧ ରାଜ୍ୟରେ ମିଳେ ନାହିଁ। ତେଣୁ ରାଜ୍ୟ ବାହାରୁ ତଥା ଦେଶ ବାହାରୁ ଅଣଯାଇଥାଏ। ଏପରି ସ୍ଥିତିରେ ଯେଉଁ ଔଷଧ ବ୍ୟବସାୟୀ ଆଣିବେ ତାହେଲେ ସେ କଣ ସଂଘରୁ ବାଦ୍ ପଡ଼ିବେ?
Comments are closed.